ରାଞ୍ଚିରେ ଗର୍ଜିଲା ‘କିଙ୍ଗ୍‌ କୋହଲି’ଙ୍କ ବ୍ୟାଟ୍: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ଶତକ

ରାଞ୍ଚିରେ ଗର୍ଜିଲା 'କିଙ୍ଗ୍‌ କୋହଲି'ଙ୍କ ବ୍ୟାଟ୍

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଷ୍ଟାର୍ ବିରାଟ୍ କୋହଲି ଙ୍କ ବ୍ୟାଟ୍ ପୁଣିଥରେ ଗର୍ଜିଛି। ସେ ଏକ ଦମଦାର ଶତକ ହାସଲ କରି ନିଜର କ୍ରିକେଟିଂ କ୍ୟାରିୟରର ୫୨ ତମ ଶତକ ପୂରଣ କରିଛନ୍ତି। କୋହଲି ମାତ୍ର ୧୦୨ ବଲ୍‌ରେ ୭ଟି ଚୌକା ଓ ୫ଟି ଛକା ସହାୟତାରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଏହି ଶତକୀୟ ଇନିଂସ୍ ତାଙ୍କ ଫର୍ମକୁ ପ୍ରମାଣିତ କରିଛି।

ଟେଷ୍ଟ ଓ ଟି-ଟ୍ୱେଣ୍ଟି ଫର୍ମାଟକୁ ବାଏ ବାଏ କହିସାରିଥିବା କୋହଲିଙ୍କ ବ୍ୟାଟ୍‌ରୁ ଦିନିକିଆରେ ଏଭଳି ପ୍ରଦର୍ଶନ ସମାଲୋଚକମାନଙ୍କ ମୁହଁକୁ ଚୁପ୍ କରିଦେଇଛି। ପୂର୍ବରୁ କିଙ୍ଗ କୋହଲିଙ୍କୁ ନେଇ ଯେଉଁ ସମାଲୋଚନା ହେଉଥିଲା, ତାହାକୁ ଅଷ୍ଟ୍ରେଲିଆ ସିରିଜ୍‌ରେ ଅର୍ଦ୍ଧଶତକ ଏବଂ ଏବେ ଶତକ ମାରି ସେ ଖଣ୍ଡନ କରିଛନ୍ତି। ତାଙ୍କର ଏହି ପ୍ରଦର୍ଶନ ଆଗାମୀ ଦିନିକିଆ ବିଶ୍ୱକପ୍ ପାଇଁ ସେ ସମ୍ପୂର୍ଣ୍ଣ ଫିଟ୍ ଥିବା ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛି ଏବଂ ପ୍ରତିଟି କ୍ରିକେଟ୍ ପ୍ରଶଂସକଙ୍କୁ ଉତ୍ସାହିତ କରିଛି।

ଆଜିର ମ୍ୟାଚ୍‌ରେ କେବଳ କୋହଲି ନୁହଁନ୍ତି, ଭାରତୀୟ ଟିମ୍‌ର ଅଭିଜ୍ଞ ତଥା ବରିଷ୍ଠ ବ୍ୟାଟର ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଦେଖିବାକୁ ମିଳିଛି। କୋହଲି ଏବଂ ରୋହିତଙ୍କ ଏହି ଦମଦାର ପ୍ରଦର୍ଶନ ଫଳରେ ଉଭୟ ଦ୍ୱିତୀୟ ୱିକେଟ୍ ପାଇଁ ଏକ ଶତକୀୟ ଭାଗିଦାରୀ ସ୍ଥାପନ କରିଛନ୍ତି। ଏହି ଯୋଡ଼ି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଏହା ୨୦ ତମ ଶତକୀୟ ଭାଗିଦାରୀ ପୂରଣ କରିଛନ୍ତି।

ଏହା ବ୍ୟତୀତ, ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍‌ରେ ଏକ ବଡ଼ ରେକର୍ଡ କରିବାରେ ସଫଳ ହୋଇଛନ୍ତି। ସେ ବର୍ତ୍ତମାନ ଦିନିକିଆ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି। ଏହି ମୁକାବିଲା ପୂର୍ବରୁ ତାଙ୍କୁ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରୀଦୀଙ୍କ ରେକର୍ଡ ଭାଙ୍ଗିବା ପାଇଁ ମାତ୍ର ୩ଟି ଛକା ଆବଶ୍ୟକ ଥିଲା। ସେ ଭାରତୀୟ ଇନିଂସର ୨୦ ତମ ଓଭରରେ ମାର୍କୋ ଜାନସନଙ୍କ ବଲ୍‌ରେ ଛକା ମାରି ଆଫ୍ରୀଦୀଙ୍କ ରେକର୍ଡକୁ ପଛରେ ପକାଇଥିଲେ। ରୋହିତ ମାତ୍ର ୨୭୭ଟି ଦିନିକିଆ ମ୍ୟାଚ୍‌ରେ ୩୫୨ଟି ଛକା ମାରିଥିବା ବେଳେ ଆଫ୍ରୀଦୀ ୩୯୮ଟି ମ୍ୟାଚ୍‌ରେ ୩୫୧ଟି ଛକା ମାରିଥିଲେ। ଭାରତୀୟ ଦଳର ଏହି ଶକ୍ତିଶାଳୀ ପ୍ରଦର୍ଶନ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଏକ ବଡ଼ ସଫଳତାର ସୂଚନା ଦେଉଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories