ଅଷ୍ଟ୍ରେଲିଆନ୍ ଓପନ୍ ବ୍ୟାଡମିଣ୍ଟନ ଟାଇଟଲରେ ଚମକିଲା ଭାରତ । କମାଲ୍ କରିଛନ୍ତି ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍ । ଜାପାନର ୟୁଶି ତାନାକାଙ୍କୁ ହରାଇ ବାଜି ମାରି ନେଇଛନ୍ତି ଭାରତର ଲକ୍ଷ ସେନ୍ ।
ସିଡନୀରେ ଅନୁଷ୍ଠିତ ହୋଇଥିଲା ଅଷ୍ଟ୍ରେଲିଆନ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତା । ରବିବାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ବିଶ୍ୱର ନମ୍ବର ୧୪ ଖେଳାଳି ୟୁଶିଙ୍କୁ ଭେଟିଥିଲେ ଲକ୍ଷ୍ୟ । ଫାଇନାଲ ମ୍ୟାଚର ପ୍ରାରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲେ । ଏଥିରେ ୟୁଶିଙ୍କୁ ୨୧-୧୫, ୨୧-୧୧ରେ ପରାସ୍ତ କରିଛନ୍ତି ଲକ୍ଷ୍ୟ । ମାତ୍ର ୩୮ ମିନିଟରେ ୟୁଶିଙ୍କୁ ହରାଇ ଟାଇଟଲ୍ ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
ଶନିବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲା ଲକ୍ଷ୍ୟଙ୍କ ପାଇଁ ସବୁଠୁ କଷ୍ଟକର ଥିଲା । ଏହି ମ୍ୟାଚରେ ସେ ବିଶ୍ୱର ୬ ନଂ ଚୌ ତିଏନ ଚେନଙ୍କ ବିପକ୍ଷରେ ମୁକାବିଲା କରିଥିଲେ । ଏହି ମ୍ୟାଚ୍ ଦୀର୍ଘ ୮୬ ମିନିଟ୍ ଧରି ଚାଲିଥିଲା । ପ୍ରଥମ ଗେମରେ ଲକ୍ଷ୍ୟ 17-21ରେ ପଛରେ ପଡ଼ି ଯାଇଥିଲେ, ମାତ୍ର ଦ୍ୱିତୀୟ ଗେମ୍ ବେଳକୁ କଡ଼ା ମୁକାବିଲା କରିଥିଲେ । ଶେଷରେ ଦୀର୍ଘ ସମୟର ପ୍ରତିଯୋଗିତା ପରେ 24-22ରେ ତିଏନ ଚେନଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଆଜି ଫାଇନାଲ୍ ମ୍ୟାଚରେ ଜାପାନ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ହାସଲ କରିଛନ୍ତି ।
ଏହି ବିଜୟ ସହ ଲକ୍ଷ୍ୟ ଦୀର୍ଘ ଏକ ବର୍ଷ ଅପେକ୍ଷାର ଉପଲବ୍ଧି ପାଇଛନ୍ତି । ଗତବର୍ଷ ଅଲିମ୍ପିକ୍ସରେ କୌଣସି ମେଡାଲ ନପାଇ ନିରାଶ ହୋଇଥିଲେ । ଏହା ସତ୍ତ୍ୱେ ଫର୍ମ ବଜାୟ ରଖି ଚଳିତ ଅଷ୍ଟ୍ରେଲିଆ ଓପନ୍ ଟାଇଟଲକୁ ନିଜ ନାଁରେ କରି ନେଇଛନ୍ତି ।
ପୂର୍ବରୁ ଲକ୍ଷ୍ୟ ସେନ୍ ୱାର୍ଡ୍ ଚାମ୍ପିୟନ୍ସସରେ ବ୍ରୋଞ୍ଜ ବିଜୟୀ ହୋଇଥିବା ବେଳେ କମନୱେଲଥ ଗେମରେ ଗୋଲ୍ଡ ମେଡାଲ୍ ପାଇଥିଲେ । ସେହିପରି ଥୋମାସ୍ କପରେ ମଧ୍ୟ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି ଲକ୍ଷ୍ୟ । ଏବେ ଲକ୍ଷ୍ୟଙ୍କ ଲକ୍ଷ୍ୟରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସ ଏବଂ କମନୱେଲଥ ଗେମ୍ସ ।








