ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନରେ ନିଆ ଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଣିକି ଭୁବନେଶ୍ୱରରେ 24 ଘଣ୍ଟିଆ ଦୋକାନବଜାର ଖୋଲା ରଖିବା ନେଇ ଅନୁମତି ମିଳିଛି । ଏନେଇ ଆଜି ଗୃହରେ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସଂଶୋଧନ ବିଲକୁ ମିଳିଛି ମଞ୍ଜୁରୀ । ଏହି ମଞ୍ଜୁରୀ କ୍ରମେ ଏଣିକି ଭୁବନେଶ୍ୱରେ 24*7 ଖୋଲା ରହିବ ଦୋକାନ ।
ଗୁରୁବାର କିଛି ଘଣ୍ଟା ଗୃହ ମୁଲତବି ପରେ ପୁଣି ଆରମ୍ଭ ହୋଇଥିଲା । ଗୃହ ଆରମ୍ଭ ହେଉ ହେଉ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସଂଶୋଧନ ବିଲ୍ ଉପରେ ଆଲୋଚନା ହୋଇଥିଲା । ସଦସ୍ୟଙ୍କ ଅନୁମତି କ୍ରମେ ଏହି ବିଲ୍ ଗୃହରେ ପାରିତ ହୋଇଛି । ଏହାର ଅର୍ଥ ଏଣିକି ସ୍ମାର୍ଟସିଟିରେ ଦିନ-ରାତି ସବୁବେଳେ ଦୋକାନ-ବଜାର ଖୋଲା ରହିବ ।
ଏହି ନିଷ୍ପତ୍ତି ଫଳରେ ବ୍ୟବସାୟ ଓ ଅଧିକ ନିଯୁକ୍ତି ସହଜ ହେବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି । 24 ଘଣ୍ଟା ଦୋକାନ ଖୋଲା ରହିବା ଦ୍ୱାରା ରାଜ୍ୟରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ବାଣିଜ୍ୟ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଦିନରାତି ଦୋକାନ ଖୋଲା ରହିଲେ ମଧ୍ୟ ଜଣେ କର୍ମଚାରୀ ଅତି ବେଶୀରେ ଗୋଟିଏ ଦିନରେ 8-9 ଘଣ୍ଟା କାମ କରିପାରିବେ । ଶ୍ରମ ସମୟ ଗୋଟିଏ ସପ୍ତାହରେ 48 ଘଣ୍ଟାରୁ ଅଧିକ ହୋଇପାରିବ ନାହିଁ ବୋଲି କୁହାଯାଇଛି ।
ଏଥିସହ ରାତିରେ ଦୋକାନ-ବଜାର ଖୋଲା ରହିଲେ ମହିଳାମାନଙ୍କୁ ମଧ୍ୟ କାମ କରିପାରିବାର ସୁଯୋଗ ରହିଛି । ମହିଳାମାନେ ଚାହିଁଲେ ରାତିଲେ କାମ କରିପାରିବେ । କିନ୍ତୁ ସେମାନଙ୍କୁ କେହି ବାଧ୍ୟ କରିପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ମହିଳାଙ୍କୁ ସେମାନଙ୍କ ଇଚ୍ଛାରେ ନିଯୁକ୍ତି ଦେଇପାରିବେ । ରାତିରେ କାମ କରୁଥିଲେ ମହିଳାଙ୍କୁ ଉପଯୁକ୍ତ ସୁବିଧା ଓ ସୁରକ୍ଷାର ବନ୍ଦୋବସ୍ତ କରିବେ ମାଲିକ । ସେମାନଙ୍କ ପାଇଁ ଗାଡ଼ିର ବନ୍ଦୋବସ୍ତ କରିବା ସହ ଜିପିଏସ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।








