ବାବ୍ରି ମସଜିଦ ପାଇଁ ଅଡ଼ି ବସିଥିବା ବିଧାୟକଙ୍କୁ ଆଉଟ୍ କଲେ ମମତା

ବାବ୍ରି ମସଜିଦ ପାଇଁ ଅଡ଼ି ବସିଥିବା ବିଧାୟକଙ୍କୁ ଆଉଟ୍ କଲେ ମମତା

ପଶ୍ଚିମ ବଙ୍ଗ ସାଧାରଣ ନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମନ୍ଦିର, ମସଜିଦ ନିର୍ମାଣ ରାଜନୀତିଠୁ ଊର୍ଦ୍ଧ୍ୱକୁ ଉଠି ନେଇଛନ୍ତି କଠୋର ନିଷ୍ପତ୍ତି । ବାବ୍ରି ମଜସିଦ ନିର୍ମାଣ ପାଇଁ ଜିଦ୍ ଧରି ବସିଥିବା ଜଣେ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ।

ସୂଚନା ଅନୁସାରେ, ସସପେଣ୍ଡ ହୋଇଥିବା ତୃଣମୂଳ କଂଗ୍ରେସ ବିଧାୟକ ହେଉଛନ୍ତି ହୁମାୟୁନ କବିର । କବିର ମୁର୍ଶିଦାବାଦରେ ଏକ ବାବ୍ରି ମସଜିଦ ନିର୍ମାଣ କରାଇବାକୁ ଅଡ଼ି ବସିଥିଲେ । କବିର ଡିସେମ୍ବର 6ରେ ବାବ୍ରି ମସଜିଦର ଶିଳାନ୍ୟାସ କରିବେ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଘୋଷଣା କରିଥିଲେ ।

କିନ୍ତୁ ମମତା ବାନାର୍ଜୀ ଏହି ପ୍ରଚାରରୁ ନିଜକୁ ଦୂରେଇ ରଖିବା ସହ ଆଜି କବିରୁଙ୍କୁ ଦଳରୁ ସସପେଣ୍ଡ କରିଛନ୍ତି । ଦଳୀୟ ସୂତ୍ର ରିପୋର୍ଟରୁ ଜଣାପଡିଛି ଯେ, ହୁମାୟୁନ ଆଗକୁ ବିଧାୟକ ଟିକେଟ୍ ପାଇବା ପାଇଁ ମସଜିଦ୍ ରାଜନୀତି କରୁଛନ୍ତି । ଏଥିପାଇଁ ସେ ବେଙ୍ଗଲ ପୋଲିସକୁ ଚ୍ୟାଲେଞ୍ଜ୍ କରି କହିଥିଲେ- ଡିସେମ୍ବର 6ରେ ଯେମିତି ହେଉ ମୁର୍ଶିଦାବାଦରେ ବାବ୍ରି ମସଜିଦର ଶିଳାନ୍ୟାସ କରି ରହିବେ । ଏଥିରେ କେହି ତାଙ୍କୁ ଅଟକେଇ ପାରିବେ ନାହିଁ । ଶେଷରେ ତାଙ୍କ ଚ୍ୟାଲେଞ୍ଜ୍ ଓଲଟା ସାବ୍ୟସ୍ତ ହୋଇଛି । ଦଳର ସୁପ୍ରିମ ତାଙ୍କୁ ସସପେଣ୍ଡ ଲେଟର୍ ଧରାଇ ଦେଇଛନ୍ତି ।

ଟିଏମସି ପକ୍ଷରୁ କୁହାଯାଇଛି ଯେ ଏପରି ବିବାଦୀୟ ମାମଲାରେ ଦଳ ହୁମାୟୁନ୍ କବିରଙ୍କ ସହ କେବେ ହେଲେ ଠିଆ ହେବ ନାହିଁ । ଗୁରୁବାର ମୁର୍ଶିଦାବାଦ ଜିଲ୍ଲାରେ ମମତା ବାନାର୍ଜୀଙ୍କ ରାଲି ପୂର୍ବରୁ କବିରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମମତା ବାନାର୍ଜୀଙ୍କ ଏହି ବାର୍ତ୍ତା ଦଳୀୟ ବିଧାୟକ, ସାଂସଦ ଏବଂ ଅନ୍ୟାନ୍ୟ ନେତାଙ୍କୁ ବି ପଠାଇ ଦିଆଯାଇଛି ।

ପ୍ରକାଶ ଥାଉକି, ହୁମାୟୁନ୍ କବିର ମୁର୍ଶିଦାବାଦର ଭରତପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ । ମୁର୍ଶିଦାବାଦ ଜିଲ୍ଲାର ୧୯ଟି ଆସନ ମଧ୍ୟରୁ ଅଧିକାଂଶ ମୁସଲିମ ବହୁଳ । ସେ ମୁର୍ଶିଦାବାଦର ବେଲଡାଙ୍ଗାରେ ବାବ୍ରି ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଜିଦ୍ ଧରିଥିଲେ ।

 

 

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories