ଭୁବନେଶ୍ୱର: ଦୀର୍ଘ ଦିନରୁ ହୋଇଆସୁଥିବା ଦାବି ପୂରଣ ହେବାକୁ ଯାଉଛି। ଓଡ଼ିଶାର ବର୍ତ୍ତମାନର ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପ-ବାଚସ୍ପତିଙ୍କ ସମେତ ପୂର୍ବତନ ବିଧାୟକମାନଙ୍କର ଦରମା, ଭତ୍ତା ଏବଂ ପେନସନ୍ ବୃଦ୍ଧି ହେବା ନେଇ ଆଜି ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଦିନକୁ ଦିନ ବଢୁଥିବା ବଜାର ଦର ଏବଂ ଆର୍ଥିକ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଦରମା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଆସୁଥିଲେ।
ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ଦରମା ଓ ପେନସନ୍ ବୃଦ୍ଧି ପାଇଁ ବିଧାନସଭାରେ ବାରମ୍ବାର ସ୍ୱର ଉଠିଥିଲା। ବଜାର ଦର ବୃଦ୍ଧି ଯୋଗୁଁ ସେମାନଙ୍କୁ ସେମାନଙ୍କ ଦାୟିତ୍ୱ ତୁଲାଇବା ଏବଂ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହେଉଥିବା ଦର୍ଶାଯାଇଥିଲା।
ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ନୃସିଂହ ସାହୁ ପୂର୍ବତନ ବିଧାୟକମାନଙ୍କ ଦୁର୍ଦ୍ଦଶା ବିଷୟରେ କହିଥିଲେ ଯେ, କିଛି ପୂର୍ବତନ ବିଧାୟକଙ୍କୁ ଜୀବନ ଜୀଇଁବା ପାଇଁ ମୂଲ ଲାଗିବାକୁ ପଡୁଛି। ସେମାନଙ୍କ ପେନସନ୍ ପର୍ଯ୍ୟାପ୍ତ ନୁହେଁ। ଏହା ସହ ମେଡିସିନ୍ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଦରମା ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ବିଧାୟକ ଥିବାବେଳେ ଦରମା ବୃଦ୍ଧି ପାଇଁ ଦାବି କରୁଥିଲେ ବୋଲି ସ୍ମରଣ କରାଇ ସେ ନିଜେ ସେହି ଦାବି ପୂରଣ କରିବାକୁ ଅନୁରୋଧ କରିଥିଲେ।
ବର୍ତ୍ତମାନର ଦରମା ଓ ଭତ୍ତା
ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଧାୟକମାନେ ମାସିକ ୩୫ ହଜାର ଟଙ୍କା ଦରମା ଓ ୬୫ ହଜାର ଟଙ୍କା ବିଭିନ୍ନ ଭତ୍ତାବାବଦକୁ ପାଉଛନ୍ତି, ଯାହା ମୋଟ ପ୍ରାୟ ୧ ଲକ୍ଷ ଟଙ୍କା। ଏହା ବ୍ୟତୀତ ସେମାନଙ୍କୁ ମେଡିକାଲ ପାଇଁ ୫ ହଜାର ଟଙ୍କା ଏବଂ ଟେଲିଫୋନ୍ ପାଇଁ ୮ ହଜାର ଟଙ୍କା ମିଳୁଛି। ଏହି ସମସ୍ତ ସୁବିଧାକୁ ଦେଖି ବିଧାନସଭା କମିଟି ଦରମା ଓ ଭତ୍ତା ବୃଦ୍ଧି କରିବା ପାଇଁ ପୂର୍ବରୁ ସୁପାରିସ କରିଥିଲା।
ବଜାର ଦରର ମୁକାବିଲା କରିବା ଏବଂ ବିଧାୟକମାନଙ୍କୁ ସମ୍ମାନଜନକ ଜୀବନଶୈଳୀ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଉପସ୍ଥାପନ କରାଯାଉଛି। ତେବେ ଏହି ବୃଦ୍ଧି କେତେ ହେବ, ତାହା ବିଲ୍ ଆଗତ ହେବା ପରେ ସ୍ପଷ୍ଟ ହେବ।








