ମାତ୍ର ୩୫ଟି କାର୍ଯ୍ୟକ୍ଷମ: ରାଜ୍ୟରେ ୯୮ଟି ଶୀତଳ ଭଣ୍ଡାର ଅଚଳ, ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ଖୁଲାସା

ମାତ୍ର ୩୫ଟି କାର୍ଯ୍ୟକ୍ଷମ: ରାଜ୍ୟରେ ୯୮ଟି ଶୀତଳ ଭଣ୍ଡାର ଅଚଳ

ଭୁବନେଶ୍ୱର: ରାଜ୍ୟରେ ଶୀତଳ ଭଣ୍ଡାରର ସ୍ଥିତି ନେଇ ଆଜି ବିଧାନସଭା ଗୃହରେ ସରଗରମ ଆଲୋଚନା ଦେଖିବାକୁ ମିଳିଛି। କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଉତ୍ତର ରଖିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ମୋଟ୍ ୧୩୩ଟି ଶୀତଳ ଭଣ୍ଡାର ରହିଛି, କିନ୍ତୁ ସେଥିମଧ୍ୟରୁ ୯୮ଟି କାର୍ଯ୍ୟକ୍ଷମ ନାହିଁ

ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଏବେ ରାଜ୍ୟରେ ମାତ୍ର ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। ଏଥିମଧ୍ୟରୁ ୩୩ଟି ବେସରକାରୀ ହୋଇଥିବା ବେଳେ କେବଳ ୨ଟି ସରକାରୀ ଶୀତଳ ଭଣ୍ଡାର ରହିଛି। ଏହି କାର୍ଯ୍ୟକ୍ଷମ ଭଣ୍ଡାରଗୁଡ଼ିକର ମୋଟ୍ କ୍ଷମତା ହେଉଛି ୧ ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ୍ ଟନ୍। ଅନ୍ୟପକ୍ଷରେ, କାର୍ଯ୍ୟକ୍ଷମ ନ ଥିବା ୯୮ଟି ଶୀତଳ ଭଣ୍ଡାର ମଧ୍ୟରୁ ୨୦ଟି ସରକାରୀ ଓ ୮୮ଟି ବେସରକାରୀ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ୧୦ ବର୍ଷରେ ୨୬ଟି ଶୀତଳ ଭଣ୍ଡାର ନିର୍ମାଣ ହୋଇଛି, ଯାହା ମଧ୍ୟରୁ ୨୨ଟି କାର୍ଯ୍ୟକ୍ଷମ ହୋଇଛି ଏବଂ ୪ଟି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯଦି ସମସ୍ତ ଶୀତଳ ଭଣ୍ଡାର ଠିକ୍ ଭାବରେ କାର୍ଯ୍ୟକ୍ଷମ ହୋଇଥାନ୍ତା, ତେବେ ରାଜ୍ୟରେ ବାରମ୍ବାର ଦେଖାଯାଉଥିବା ‘ଆଳୁ ଝଡ଼’ ଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ମନ୍ତ୍ରୀ ସ୍ୱୀକାର କରିଛନ୍ତି।

କାର୍ଯ୍ୟକ୍ଷମ ନଥିବା ଶୀତଳ ଭଣ୍ଡାର ଗୁଡ଼ିକର ପୁନଃ କାର୍ଯ୍ୟକ୍ଷମ ଏବଂ ନୂଆ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି। ସବ୍‌-ଡିଭିଜନ୍ ସ୍ତରରେ ୫୮ଟି ନୂତନ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିପାଇଁ ୨୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆଗାମୀ ଦିନରେ ବ୍ଲକ୍ ସ୍ତରରେ ମଧ୍ୟ ନିର୍ମାଣ ପାଇଁ ଯୋଜନା ରହିଛି। ସରକାର ନୂଆ ଶୀତଳ ଭଣ୍ଡାର ପାଇଁ ସବ୍‌ସିଡି ଦେବା ସହ ବିଦ୍ୟୁତ୍ ଶୁଳ୍କ ରିହାତି ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି। ଏହାସହ, ଚଳିତ ଆର୍ଥିକ ବର୍ଷରେ ୨୩୯ଟି ସୋଲାର କୋଲ୍ଡ ରୁମ୍ ଖୋଲାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories