ଓଡ଼ିଶା ବିଧାନସଭାରେ ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧାରେ ବ୍ୟାପକ ସଂଶୋଧନ କରାଯାଇଛି। ନିକଟରେ ଗୃହୀତ ହୋଇଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଅନୁଯାୟୀ, ବିଧାୟକଙ୍କ ମାସିକ ଦରମା ଏକ ଲକ୍ଷ ୧୧ ହଜାର ଟଙ୍କାରୁ ୨ ଲକ୍ଷ ୭୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା ମଧ୍ୟ ବୃଦ୍ଧି ପାଇ ୩ ଲକ୍ଷ ୮୦ ହଜାର ଟଙ୍କାରେ ପହଞ୍ଚିଛି।
ଓଡ଼ିଶା ବିଧାନସଭାରେ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତାରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ଗୃହରେ “ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍” ଏବଂ “ବାଚସ୍ପତି, ଉପ ବାଚସ୍ପତିଙ୍କ ଦରମା, ଭତ୍ତା ସଂଶୋଧନ ବିଲ୍” ଗୃହୀତ ହେବା ପରେ ଏହି ବର୍ଦ୍ଧିତ ଦରମା ଓ ଭତ୍ତା ଲାଗୁ ହେବ। ଏହି ବୃଦ୍ଧି ଫଳରେ ଜନ ପ୍ରତିନିଧିମାନେ ଅଧିକ ଆର୍ଥିକ ସୁବିଧା ପାଇବେ।
ନୂତନ ସଂଶୋଧନ ଅନୁଯାୟୀ:
• ବିଧାୟକଙ୍କ ମାସିକ ଦରମା ପୂର୍ବରୁ ଥିବା ୧ ଲକ୍ଷ ୧୧ ହଜାର ଟଙ୍କାରୁ ବୃଦ୍ଧି ପାଇ ୨ ଲକ୍ଷ ୭୮ ହଜାର ଟଙ୍କାରେ ପହଞ୍ଚିଛି।
• ମନ୍ତ୍ରୀମାନଙ୍କ ମାସିକ ଦରମା ଓ ଭତ୍ତାକୁ ମଧ୍ୟ ବୃଦ୍ଧି କରାଯାଇ ୩ ଲକ୍ଷ ୮୦ ହଜାର ଟଙ୍କା କରାଯାଇଛି।
• ବିଧାନସଭା ଅଧିବେଶନ ସମୟରେ ବିଧାୟକଙ୍କ ଦୈନିକ ଭତ୍ତା ୧,୫୦୦ ଟଙ୍କାରୁ ୩,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
• ମାସିକ ଯାନବାହାନ ଭତ୍ତା ୧୫ ହଜାର ଟଙ୍କା ବଦଳରେ ୫୦ ହଜାର ଟଙ୍କା ମିଳିବ।
• ବିଜୁଳି ବିଲ୍ ପାଇଁ ମିଳୁଥିବା ମାସିକ ଭତ୍ତା ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
• ଚିକିତ୍ସା ଖର୍ଚ୍ଚ ପାଇଁ ମାସିକ ଭତ୍ତା ୫ ହଜାର ଟଙ୍କାରୁ ୩୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
• ଗାଡ଼ି କିଣିବା ପାଇଁ ମିଳୁଥିବା ଋଣ ପରିମାଣ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ଦ୍ୱିଗୁଣିତ କରାଯାଇଛି।
ଏହା ବ୍ୟତୀତ, ବିଧାୟକମାନଙ୍କୁ ଦୈନିକ ଗସ୍ତ ଖର୍ଚ୍ଚ ବାବଦରେ ୨ ହଜାର ଟଙ୍କା ଏବଂ ଯଦି ସେମାନେ ରାଜ୍ୟ ବାହାରକୁ ଗସ୍ତ କରନ୍ତି ତେବେ ୧୦ ହଜାର ଟଙ୍କା ମିଳିବ। ଯେଉଁ ବିଧାୟକମାନଙ୍କୁ ସରକାରୀ କ୍ୱାର୍ଟର୍ସ ମିଳିନାହିଁ, ସେମାନଙ୍କ ରହଣୀ ପାଇଁ ଦୈନିକ ୨ ହଜାର ଟଙ୍କା ମିଳିବାର ବ୍ୟବସ୍ଥା କରାଯାଇଛି।








