ବର୍ତ୍ତମାନ ସମୟରେ ଡିମେନ୍ସିଆ ରୋଗର ମାତ୍ରା ବଢ଼ିବାରେ ଲାଗିଛି । ଡିମେନ୍ସିଆ (Dementia) ହେଉଛି ଏକ ଗୁରୁତର ସ୍ନାୟୁ‑ସମ୍ପର୍କିତ ରୋଗ, ଯାହାରେ ସ୍ମୃତି, ଚିନ୍ତା, ବ୍ୟବହାର ଓ ଦୈନିକ କାର୍ଯ୍ୟକଳାପରେ ଗଭୀର ପ୍ରଭାବ ପଡ଼େ । ଲାନସେଟ କମିଶନ ପକ୍ଷରୁ ଏକ ଗବେଷଣା କରାଯାଇଥିବା ବେଳେ ଏହାର କାରକ ପ୍ରକାଶିତ ହୋଇଛି । ପ୍ରଥମତଃ ଯୁବାବସ୍ଥାରେ ହାଇ କୋଲେଷ୍ଟ୍ରଲ ଓ ବୃଦ୍ଧାବସ୍ଥାରେ ଚିକିତ୍ସା ନକରିବା ।
କାହିଁକି ହୁଏ ଡିମେନ୍ସିଆ- ଡିମେନ୍ସିଆକୁ ସାଧାରଣତଃ ବୟସ୍କତା ଓ ସ୍ମୃତିହାନି ସହିତ ସମ୍ପର୍କିତ କରାଯାଏ । କିନ୍ତୁ ଏହି ନୂତନ ଗବେଷଣା ଦେଖାଇଛି ଯେ ଜୀବନଶୈଳୀରେ ସୁଧାର ଏବଂ ସମୟଅନୁସାରେ ଚିକିତ୍ସା ମାଧ୍ୟମରେ ଏହି ଡିମେନ୍ସିଆ ରୋଗକୁ କିଛି ମାତ୍ରାରେ କମାଇପାରାଯାଇପାରେ। ମଧ୍ୟବୟସରେ ଉଚ୍ଚ LDL କୋଲେଷ୍ଟେରଲ ଥିବା ବ୍ୟକ୍ତିମାନଙ୍କରେ ପରେ ଡିମେନ୍ସିଆ ହେବାର ସମ୍ଭାବନା ବେଶି ଥାଏ। ସେପରି, ବୃଦ୍ଧାବସ୍ଥାରେ ଚକ୍ଷୁରୋଗ ଚିକିତ୍ସା ନହେଲେ ଏହା ମାନସିକ ଅବନିତିକୁ ତ୍ବରାନ୍ବିତ କରେ ।
ବଢ଼ୁଛି ଡିମେନ୍ସିଆ ରୋଗୀଙ୍କ ସଂଖ୍ୟା- ବିଶେଷଜ୍ଞମାନେ କହୁଛନ୍ତି ଯେ ଏହାର ବିପଦର କାରଣ ଗୁଡିକ ପରିବର୍ତ୍ତନୀୟ । ଅର୍ଥାତ୍, ସମୟରେ କୋଲେଷ୍ଟେରଲ ପରୀକ୍ଷା, ସୁସ୍ଥ ଖାଦ୍ୟାହାର ଓ ଚକ୍ଷୁରୋଗର ଯେପରିକି ଗ୍ଲୁକୋମା, ମୋତିଆବିନ୍ଦୁ ଭଳି ଚିକିତ୍ସା ମାଧ୍ୟମରେ ଡିମେନ୍ସିଆର ସମ୍ଭାବନାକୁ କମାଇପାରାଯାଇପାରେ। ବିଶ୍ୱରେ ବର୍ତ୍ତମାନ 55 ମିଲିୟନ୍ରୁ ଅଧିକ ଲୋକ ଡିମେନ୍ସିଆରେ ପୀଡ଼ିତ । 2050 ସୁଦ୍ଧା ଏହା 150 ମିଲିୟନ୍ରୁ ଅଧିକ ହେବାର ଆଶଙ୍କା ରହିଛି । ଏହି ନୂତନ ଖୋଜ ସ୍ୱାସ୍ଥ୍ୟ ବ୍ୟବସ୍ଥାପନରେ ଚିକିତ୍ସାରୁ ପ୍ରତିରୋଧକୁ ଅଧିକ ଗୁରୁତ୍ୱ ଦେବାର ପଥ ପ୍ରସ୍ତୁତ କରୁଛି ।
ଠିକ ସମୟରେ ଚିକିତ୍ସା ଜରୁରୀ- ଏହି ଗବେଷଣାର ନେତୃତ୍ୱ କରୁଥିବା ବିଜ୍ଞାନୀ ଡା ଗିଲ ଲିଭିଙ୍ଗଷ୍ଟନ କହିଛନ୍ତି ଯେ, ସମୟ ମଧ୍ୟରେ ଏହି ସମସ୍ୟାଗୁଡ଼ିକୁ ଚିହ୍ନଟ କରି ଚିକିତ୍ସା କଲେ ମସ୍ତିଷ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ହେବ ଓ ଡିମେନ୍ସିଆର ଘଟଣାକୁ ହ୍ରାସ କରିପାରିବ । ଏହି ଅଧ୍ୟୟନର ମୁଖ୍ୟକଥା ହେଉଛି ମସ୍ତିଷ୍କ ସ୍ୱାସ୍ଥ୍ୟ ଶରୀରର ସାର୍ବଜନୀନ ସ୍ୱାସ୍ଥ୍ୟ ସହିତ ଗଭୀର ଭାବେ ଜଡିତ । ଡିମେନ୍ସିଆର ପ୍ରଭାବକୁ ହ୍ରାସ କରିବା ପାଇଁ ହୃଦରୋଗ ଏବଂ ଚକ୍ଷୁର ମଧ୍ୟ ସମୟଅନୁସାରେ ଚିକିତ୍ସା ଗୁରୁତ୍ୱପୂର୍ଣ୍ଣ ।
ପ୍ରତିରୋଧକ ପଦକ୍ଷେପ:
- ନିୟମିତ କୋଲେଷ୍ଟ୍ରଲ ପରୀକ୍ଷା: ମଧ୍ୟବୟସରେ LDL ସ୍ତରକୁ ନିୟନ୍ତ୍ରଣ କରିବା
- ସୁସ୍ଥ ଖାଦ୍ୟାହାର: ହୃଦ୍ସ୍ୱାସ୍ଥ୍ୟକର ଆହାର ତଟକା ଫଳ, ପନିପରିବା ଏବଂ ଓମେଗା 3 ଯୁକ୍ତ ଖାଦ୍ୟ ଖାଇବା ଜରୁରୀ
- ଚକ୍ଷୁରୋଗର ସମୟଅନୁସାରେ ଚିକିତ୍ସା: ମୋତିଆବିନ୍ଦୁ, ଗ୍ଲକୋମା ଇତ୍ୟାଦି ରୋଗର ଶୀଘ୍ର ଚିକିତ୍ସା
- ଜୀବନଶୈଳୀ ପରିବର୍ତ୍ତନ: ବ୍ୟାୟାମ, ଧୂମ୍ରପାନ ବନ୍ଦ, ମଦ୍ୟପାନ ନିୟନ୍ତ୍ରଣ କରିବା ଜରୁରୀ ଅଟେ







