ଝାରସୁଗୁଡା: ରାଜ୍ୟ ସରକାରଙ୍କ ମୋଟର ଆଇନ ଓ ପରିବେଶ ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ବହୁ ବାଦବିବାଦ ଚାଲିଛି। ବିଭିନ୍ନ ସମୟରେ ଉଠୁଥିବା ନାନା ପ୍ରଶ୍ନକୁ ନେଇ ଲୋକଙ୍କ ଭିତରେ ସଂଦେହ ସୃଷ୍ଟି ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟତା ଆସି ନ ଥିବାବେଳେ ଏବେ ଝାରସୁଗୁଡାରେ ନୂଆ ବିବାଦ ଆରମ୍ଭ ହୋଇଛି । ପୁରୁଣା ଟ୍ରକକୁ ନେଇ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଏବେ ଜିଲ୍ଲାରେ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି । ଜିଲ୍ଲାରେ ଏକ ପ୍ରକାର ଆନ୍ଦୋଳନ ଦାନା ବନ୍ଧୁଥିବା ଚର୍ଚ୍ଚା ହେଲାଣି । ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ଘୋର ବିରୋଧ କରିବା ଆରମ୍ଭ କଲେଣି ବୁଦ୍ଧିଜୀବୀ । ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ନିଷ୍ପତ୍ତି ନେଇଛନ୍ତି ଯେ ଜିଲ୍ଲାର ବିଭିନ୍ନ ଖଣି ଖାଦାନରେ ନିୟୋଜିତ ଟ୍ରକ ଗୁଡ଼ିକ ଯାହା କି ୧୫ବର୍ଷରୁ ଅଧିକ ପୁରୁଣା ହୋଇଥିବ ସେହି ସବୁ ପୁରୁଣା ଟ୍ରକ ଗୁଡ଼ିକୁ ଖଣି ଗୁଡିକରୁ ପରିବହନ ପାଇଁ ଅନୁମତି ମିଳିବ ନାହିଁ ବୋଲି ୧୬.୦୧.୨୦୨୬ ରେ ସମସ୍ତ କଳ କାରଖାନା ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଅର୍ଥାତ୍ OR ରେ ପଞ୍ଜିକରଣ ହୋଇଥିବା ଟ୍ରକ ଗୁଡ଼ିକୁ ଖଣି ପରିବହନ ପାଇଁ ଜିଲ୍ଲା ପ୍ରଶାସନ ଆଉ ଅନୁମତି ଦେବ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏହାଦ୍ବାରା ଟ୍ରକ ମାଲିକମାନଙ୍କ ପରିବାର ବେସାହାରା ହେବ ସହିତ ଘୋର କ୍ଷତି ସହିବେ, ଲକ୍ଷ ଲକ୍ଷ ଟଙ୍କାର ବେପାର ବୁଡ଼ିଯିବ। ଏମିତି ଆଶଙ୍କାକୁ ନେଇ ଜିଲ୍ଲା ଟ୍ରକ ମାଲିକ ସଂଘ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେଣି।
ସୂଚନା ଅନୁସାରେ ଜିଲ୍ଲାରେ ଦୁଇଟି ପ୍ରମୁଖ ଟ୍ରକ୍ ମାଲିକ ସଂଘ ହେଲା ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘ ଓ ବନ୍ଧବାହାଲ ସମଲେଶ୍ଵରୀ ଟ୍ରକ୍ ମାଲିକ ସଂଘ୍ । ଦୁଇଟି ସଂଘରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ପଞ୍ଜୀକୃତ ଟ୍ରକ୍ ବିଭିନ୍ନ ଖଣି ପରିବହନରେ ନିୟୋଜିତ ଅଛନ୍ତି । ଏଥିରୁ ପ୍ରାୟ ୮୦ ପ୍ରତିଶତ ଟ୍ରକ୍ ଓଆର ନମ୍ବର ବିଶିଷ୍ଟ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦେଖିଲେ ଟ୍ରକ୍ ମାଲିକଙ୍କ ଠାରୁ ଆରମ୍ଭ କରି ଡ୍ରାଇଭର ଓ ଶ୍ରମିକଙ୍କୁ ମିଶାଇ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବିକା ଜଡ଼ିତ ଅଛି। ଜିଲ୍ଲାପାଳଙ୍କ ନିଷ୍ପତ୍ତି ସିଧାସଳଖ ଜୀବନ ଜୀବିକାକୁ ପ୍ରଭାବିତ କରିବ। ଏହାଦ୍ବାରା ମାଲିକମାନେ କୋଟି କୋଟି ଟଙ୍କାର କ୍ଷତି ସହିବେ। ତେଣୁ ଏହାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ସଂଘ ଅଦାଲତକୁ ଯିବା ନେଇ ପ୍ରସ୍ତୁତ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି । ଅନ୍ୟପଟେ ଶ୍ରମିକ ଓ ମାଲିକଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଜିଲ୍ଲାପାଳ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘ ସଭାପତି ଅମୀୟ କୁମାର ସାମଲ ଦାବି କରିଛନ୍ତି । ତେବେ ଅନ୍ୟ ଜିଲ୍ଲାରେ ଖଣି ପରିବହନ ରେ ବହୁ ପୁରୁଣା ଗାଡ଼ି ବ୍ୟବହାର ହେଉଥିବାବେଳେ ଝାରସୁଗୁଡାରେ ହଠାତ୍ ଏପରି ନିୟମକୁ କଡାକଡି କାର୍ଯ୍ୟକାରୀ କରିବା ନେଇ ଜିଲ୍ଲା ଟ୍ରକ୍ ମାଲିକ ସଂଘ ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ନାପସନ୍ଦ କରିଛି । ଆଇନକୁ ମାଲିକ ସଂଘ ମାନିବା ସହ ମାଲିକ ଓ ଶ୍ରମିକଙ୍କୁ କ୍ଷତି ନ ପହଞ୍ଚିଲା ପରି ନିଷ୍ପତ୍ତି ନେଲେ ଭଲ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଅନ୍ୟ ପକ୍ଷରେ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କଣ ହେବ ସେ ନେଇ କିଛି ଜଣାପଡି ନାହିଁ। ଅନ୍ୟପଟେ ଜିଲ୍ଲାରେ ବଢୁଥିବା ପ୍ରଦୂଷଣ ଓ ଦୂର୍ଘଟଣା ତଥ୍ୟ ଉପରେ ନଜର ପକାଇଲେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ବୋଲି ପରିବେଶବିତ୍ ଓ ବୁଦ୍ଧିଜୀବୀ କହିଛନ୍ତି। ଖଣି ପରିବହନରେ ନିୟୋଜିତ ବହୁ ଟ୍ରକ୍ ର ଫିଟନେସ ନ ଥାଇ ରାସ୍ତାରେ ଚାଲିଛି । ବେନିୟମ କାମ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି। ପରିବହନ ସାମଗ୍ରୀ ଉପରେ କୌଣସି ପାଲ ଘୋଡ଼ାଉ ନ ଥିବାରୁ ରାସ୍ତାରେ ବାଲି, ଗୋଡି, କୋଇଲା ଖଣ୍ଡ ପଡି ଯାତାୟତରେ ସମସ୍ୟା ହୋଇଥିବାରୁ ଜିଲ୍ଲାପାଳ ଏମିତି ପଦକ୍ଷେପ ନେଇଥିବା କୁହାଯାଇଛି। ଅନ୍ୟପଟେ ଝାରସୁଗୁଡା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କହିବା ଅନୁଶାରେ ଯେଉଁ ଗାଡି ଗୁଡିକ ର ଫିଟନେସ ଏବଂ କାଗଜପତ୍ର ଠିକ ରହିଛି ତାହା ମିଳିତ ଯାଞ୍ଚ କଲାପରେ ସେହି ଗାଡିକୁ ପରିବହନ ପାଇଁ ଅନୁମତି ଦିଆଯାଉଛି ବୋଲି କହିଛନ୍ତି । ତେବେ ବିରୋଧ ଓ ସମର୍ଥନ ଭିତରେ ପ୍ରଶାସନର ନିଷ୍ପତ୍ତିକୁ ନେଇ ତର୍କ ଓ ବିତର୍କ ଚାଲିଛି।







