ପୁରୀ: ଆଜି ହେଉଛି ପବିତ୍ର ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି । ଏହି ତିଥିକୁ ପ୍ରାବରଣ ଷଷ୍ଠୀ ବା ଓଢଣ ଷଷ୍ଠୀ ଭାବରେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଆଧ୍ୟାତ୍ମିକତା କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀରେ ଥିବା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଶେଷ ନୀତି ‘ଓଢଣ ଷଷ୍ଠୀ’ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଏହି ଯାତ୍ରାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଶୀତ ଋତୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସମେତ ସମସ୍ତ ବିଗ୍ରହମାନେ ଘୋଡ଼ ଲାଗି ବା ଶୀତ ବସ୍ତ୍ର ପରିଧାନ କରିବେ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଆଜି ମହାପ୍ରଭୁଙ୍କର ସକାଳଧୂପ ନୀତି ସମ୍ପୂର୍ଣ୍ଣ ହେବା ପରେ ମଇଲମ କରାଯିବ। ଏହାପରେ ବିଧି ଅନୁସାରେ ଠାକୁରମାନଙ୍କୁ ଶୀତ ବସ୍ତ୍ର ବା ଘୋଡ଼ ଲାଗି କରାଯିବ। ଏହି ଶୀତ ବସ୍ତ୍ରଗୁଡ଼ିକୁ ଶ୍ରୀମନ୍ଦିରର ଦରଜି ସେବକ ଓ ଦରଜି ସର୍ଦ୍ଦାରଙ୍କ ଦ୍ୱାରା ଅତ୍ୟନ୍ତ ନିଷ୍ଠାର ସହ ପ୍ରସ୍ତୁତ କରାଯାଇଥାଏ। ଏଗୁଡ଼ିକ ବିଭିନ୍ନ ପ୍ରକାରର ଉପାଦାନ ଯଥା ପତନି, ଗୀତଗୋବିନ୍ଦ ପାଟ ଓ ସୂତାପାଟ ଆଦିରେ ତିଆରି ହୋଇଥାଏ। ଓଢଣ ଷଷ୍ଠୀର ଏହି ବିଧି ଆରମ୍ଭ ହେବା ପରେ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଶ୍ରୀଜୀଉମାନେ ପ୍ରତିଦିନ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ଲାଗି ବେଶରେ ଦର୍ଶନ ଦେବେ।
ସୂଚନା ଅନୁଯାୟୀ, ଘୋଡ଼ ଲାଗି ବେଶ ସହିତ ଶ୍ରୀଜୀଉମାନଙ୍କୁ ୬ ମୂର୍ତ୍ତି ଅଳଙ୍କାର ମଧ୍ୟ ଲାଗି କରାଯିବାର ବିଧି ରହିଛି। ଶୀତଦିନ ପାଇଁ ମହାପ୍ରଭୁଙ୍କର ଏହି ବିଶେଷ ‘ଘୋଡ଼ ଲାଗି’ ନୀତି ହୋଇଥିବାରୁ ଏହା ଏକ ଅତ୍ୟନ୍ତ ପୁଣ୍ୟପ୍ରଦ ବେଶ ବୋଲି ଶ୍ରଦ୍ଧାଳୁମାନେ ବିଶ୍ୱାସ କରନ୍ତି। ଏହି ପୁଣ୍ୟପ୍ରଦ ବେଶକୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।
ଆଜିର ଏହି ପବିତ୍ର ଦିନରେ ମହାପ୍ରଭୁଙ୍କର ଏହି ମନମୁଗ୍ଧକର ଓ ପୁଣ୍ୟପ୍ରଦ ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଶୃଙ୍ଖଳାର ସହ ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି। ପୁରୀରେ ଏହି ଉତ୍ସବ ପାଇଁ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।








