ବିଧାନସଭାରେ ‘ଓଡ଼ିଆ ଅସ୍ମିତା’ ଝଡ଼, ରାଜକୋଶରୁ ମାଧୁରୀ ନେଇଛନ୍ତି ଦେଢ କୋଟି

ବିଧାନସଭାରେ 'ଓଡ଼ିଆ ଅସ୍ମିତା' ଝଡ଼, ରାଜକୋଶରୁ ମାଧୁରୀ ନେଇଛନ୍ତି ଦେଢ କୋଟି

ଭୁବନେଶ୍ବର: ବିଧାନସଭାରେ ‘ଓଡ଼ିଆ ଅସ୍ମିତା’କୁ ନେଇ ଉଠିଛି ପ୍ରଶ୍ନ । ଓଡ଼ିଶା ହସ୍ତତନ୍ତରେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଙ୍କୁ ବ୍ରାଣ୍ଡ୍ ଆମ୍ବାସଡର କରିବା ଏବଂ ତାଙ୍କୁ ରାଜ୍ୟ ରାଜକୋଶରୁ ମୋଟା ଅଙ୍କର ଟଙ୍କା ଦେବା କଣ ‘ଓଡିଆ ଅସ୍ମିତା’ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ବିଧାୟକ ଅରୁଣ ସାହୁ ।

ଆଜି ବିଧାନସଭା ଚାଲିଥିବା ସମୟରେ ଅରୁଣ ସାହୁ ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କୁ ଓଡ଼ିଶା ହସ୍ତତନ୍ତ ଦିବସରେ ଖର୍ଚ୍ଚ ହୋଇଥିବା ଟଙ୍କା, ଏହାର ବ୍ରାଣ୍ଡ୍ ଆମ୍ବାସଡର କିଏ, ଏଥିପାଇଁ ରାଜ୍ୟ ରାଜକୋଶରୁ କେତେ ଖର୍ଚ୍ଚ ହୋଇଛି ଏବଂ ତାଙ୍କୁ କି କି ସୁବିଧା ଦିଆଯାଇଛି ସେନେଇ ଗୃହକୁ ଅବଗତ କରାଇବେ କି ବୋଲି ପ୍ରଶ୍ନ କରିଥିଲେ । ଏଥିସହ ଜଣେ ଅଣଓଡ଼ିଆଙ୍କୁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର କରିବା କଣ ‘ଓଡ଼ିଆ ଅସ୍ମିତା’ କି ବୋଲି ପ୍ରଶ୍ନ କରିଛନ୍ତି ।

ଜବାବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉତ୍ତର ରଖି କହିଛନ୍ତି – ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର ଭାବେ ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ନେନେଙ୍କୁ ନିଯୁକ୍ତ କରାଯାଇଛି । ଏଥିପାଇଁ ତାଙ୍କୁ ରାଜ୍ୟ ରାଜକୋଶରୁ ୧ କୋଟି ୬୦ ଲକ୍ଷ ଟଙ୍କା ଦିଆଯାଇଛି । ଏହା ବାଦ୍ ଯିବା ଆସିବା ପାଇଁ ଫ୍ଲାଇଟ୍ ଟିକେଟ୍, ରହଣି ଏବଂ ଖାଇବା ବାବଦକୁ ମଧ୍ୟ ଅଲଗା ଟଙ୍କା ଦିଆଯାଇଛି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶା ହସ୍ତତନ୍ତର ଚାହିଦାକୁ ଅନ୍ତର୍ଜାତୀୟ ବଜାରରେ ବ୍ୟାପକ କରିବା ପାଇଁ ଖ୍ୟାତି ସମ୍ପନ୍ନ ବଲିଉଡ ଅଭିନେତ୍ରୀଙ୍କୁ ଓଡିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତି କରାଯାଇଛି । ଏହା ଦ୍ୱାରା ଓଡ଼ିଶାର ପାରମ୍ପରକି ହସ୍ତତନ୍ତ କଳାର ସୁନାମ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଯାଇ ପାରିବ ଏବଂ ଓଡ଼ିଶା ବୁଣାକାରମାନଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିପାରିବ ବୋଲି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ।

ପ୍ରକାଶ ଥାଉ କି, ଓଡିଶା ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଅଗଷ୍ଟ ୭-୧୩ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ “EKTA 2025” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭୁବନେଶ୍ୱରର ଜନତା ମଇଦାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ସମ୍ବଲପୁରୀ ଶାଢୀ ପିନ୍ଧି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories