ବିଏସଏନଏଲ୍ ବକେୟା ବିଲ୍‌ ସୁଝୁନାହିଁ ଓଡ଼ିଶା: ବାରମ୍ବାର ଚିଠି ପରେ ବି ୨୮ କୋଟିରୁ ଅଧିକ ଟଙ୍କା ବାକି

ବିଏସଏନଏଲ୍ ବକେୟା ବିଲ୍‌ ସୁଝୁନାହିଁ ଓଡ଼ିଶା: ବାରମ୍ବାର ଚିଠି ପରେ ବି ୨୮ କୋଟିରୁ ଅଧିକ ଟଙ୍କା ବାକି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ରହିଥିବା କୋଟି କୋଟି ଟଙ୍କାର ଟେଲିଫୋନ୍ ବକେୟା ବିଲ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅବଗତ କରାଇବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ସରକାରୀ ତଥ୍ୟ ଅନୁଯାୟୀ, ୩୧ ଡିସେମ୍ବର ୨୦୨୫ ସୁଦ୍ଧା ରାଜ୍ୟର ବିଭିନ୍ନ ବିଭାଗ ଓ ସଂସ୍ଥା ନିକଟରେ ବିଏସଏନଏଲ୍‌ର ମୋଟ ୨୮.୫୪ କୋଟି ଟଙ୍କା ବକେୟା ପଡ଼ିଛି। ସବୁଠାରୁ ଅଧିକ ବାକି ରଖିଛି ସୂଚନା ଓ ଲୋକସମ୍ପର୍କ ବିଭାଗ, ଯାହାର ବକେୟା ପରିମାଣ ପ୍ରାୟ ୮.୫୯ କୋଟି ଟଙ୍କା। ଏହା ପଛକୁ ଆଇନ ବିଭାଗ ପ୍ରାୟ ୪.୪୨ କୋଟି ଟଙ୍କା ବାକି ରଖିଛି। ଏହା ବ୍ୟତୀତ ଶିକ୍ଷା, ଅର୍ଥ, ସ୍ବାସ୍ଥ୍ୟ, ଗୃହ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଉପରେ ମଧ୍ୟ ୧ କୋଟିରୁ ଅଧିକ ଲେଖାଏଁ ଟଙ୍କା ବାକି ରହିଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ବିଏସଏନଏଲ୍ ଦେଶର ଦୁର୍ଗମ ଅଞ୍ଚଳରେ ସେବା ଯୋଗାଇବା ସହ ସେନା ଓ ବ୍ୟାଙ୍କ ଭଳି ପ୍ରତିଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ସେବା ଦେଇଥାଏ। ସଂସ୍ଥାର ଆଧୁନିକୀକରଣ ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ନିୟମିତ ପାଣ୍ଠିର ଆବଶ୍ୟକତା ରହିଛି। ସରକାର ପକ୍ଷରୁ ପୂର୍ବରୁ ବିଏସଏନଏଲ୍ ପାଇଁ ପ୍ୟାକେଜ୍ ଘୋଷଣା କରାଯାଇଥିଲେ ମଧ୍ୟ ଏହି ବକେୟା ରାଶି ଆଦାୟ ହେବା ସଂସ୍ଥା ପାଇଁ ଅତ୍ୟନ୍ତ ଜରୁରୀ।

ଉଲ୍ଲେଖଯୋଗ୍ୟ ଯେ, ମେ ୨୦୨୫ରେ ଏହି ବକେୟା ପରିମାଣ ପ୍ରାୟ ୮୦ କୋଟି ଟଙ୍କା ଥିଲା। କିଛି ବିଭାଗ ବିଲ୍ ପଇଠ କରିବା ପରେ ଏବେ ଏହା ୨୮ କୋଟିକୁ ଖସିଥିବା ପରେ ମଧ୍ୟ, ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ ଏହା ସମ୍ପୂର୍ଣ୍ଣ କ୍ଲିୟର୍ ହୋଇପାରୁ ନାହିଁ।

Latest Stories