Odisha Highway Wayside Amenities: ଓଡ଼ିଶାର ସଡ଼କ ଯାତ୍ରାକୁ ମିଳିବ ନୂଆ ପରିଚୟ

Odisha Highway Wayside Amenities:

ପ୍ରତି ୫୦ କିଲୋମିଟରରେ ମିଳିବ ଯାତ୍ରୀ ସୁବିଧା

ଭୁବନେଶ୍ୱର: ଓଡ଼ିଶାର ସଡ଼କ ପରିବହନ ବ୍ୟବସ୍ଥାକୁ ଅଧିକ ଯାତ୍ରୀ-ବାନ୍ଧବ, ସୁରକ୍ଷିତ ଓ ଆଧୁନିକ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟର ସଡ଼କ ନେଟ୍‌ୱାର୍କକୁ ସୁଦୃଢ଼ ଓ ଦୁର୍ଘଟଣାମୁକ୍ତ କରିବା ଦିଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ, ଏବେ ଦୀର୍ଘ ସଡ଼କ ଯାତ୍ରା କରୁଥିବା ଗାଡ଼ିଚାଳକ ଓ ପର୍ଯ୍ୟଟକଙ୍କ ପାଇଁ ରାସ୍ତାକଡ଼ ସୁବିଧା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି।

ଏହି ଉଦ୍ଦେଶ୍ୟରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜାତୀୟ ରାଜପଥ, ଏକ୍ସପ୍ରେସ୍‌ ୱେ, ରାଜ୍ୟ ରାଜପଥ ଓ ଜିଲ୍ଲା ମୁଖ୍ୟ ସଡ଼କରେ ପ୍ରତି ୫୦ କିଲୋମିଟର ଅନ୍ତରରେ ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟର (ସଡ଼କ ପାର୍ଶ୍ଵ ସୁବିଧା କେନ୍ଦ୍ର) ପ୍ରତିଷ୍ଠା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

କେଉଁ କେଉଁ ସୁବିଧା ମିଳିବ?

ଏହି ଆମିନିଟିସ୍‌ ସେଣ୍ଟରଗୁଡ଼ିକରେ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ଶୌଚାଳୟ, ଇଭି ଚାର୍ଜିଂ ସ୍ପେସ୍‌, ପେଟ୍ରୋଲ ପମ୍ପ, ଫୁଡ୍‌ କୋର୍ଟ ଏବଂ ବିଶ୍ରାମ ଗୃହ ଭଳି ଆବଶ୍ୟକୀୟ ସୁବିଧା ରହିବ। ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ଲମ୍ବା ଦୂରତା ଯାତ୍ରା କରୁଥିବା ଟ୍ରକ ଚାଳକ, ବସ୍‌ ଯାତ୍ରୀ ଏବଂ ଚାରିଚକିଆ ଯାନରେ ଯାତ୍ରା କରୁଥିବା ପର୍ଯ୍ୟଟକଙ୍କ ପାଇଁ ବିଶେଷ ଉପକାରୀ ସାବ୍ୟସ୍ତ ହେବ। ଦୀର୍ଘ ଯାତ୍ରାରେ ବିଶ୍ରାମ ନେବା, ଖାଦ୍ୟ ଗ୍ରହଣ କରିବା ଓ ବିଦ୍ୟୁତ୍‌ ଚାଳିତ ଯାନର ଚାର୍ଜିଂ ଭଳି ସମସ୍ୟାର ସମାଧାନ ଏକ ସ୍ଥାନରେ ମିଳିବ, ଯାହା ସଡ଼କ ଦୁର୍ଘଟଣା ହ୍ରାସରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି।

ତୈଳ କମ୍ପାନୀ ସହ ହେବ ବୁଝାମଣା, ସରକାର ଯୋଗାଇବେ ସ୍ଥାନ

ଏହି ଯୋଜନା ରୂପାୟନ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଓ ବିଭିନ୍ନ ସରକାରୀ ତୈଳ କମ୍ପାନୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବାର ଯୋଜନା ରହିଛି। ଏଥିରେ ରାଜ୍ୟ ସରକାର ସେଣ୍ଟର ପାଇଁ ଆବଶ୍ୟକ ସ୍ଥାନ ଯୋଗାଇଦେବେ, ଅନ୍ୟପଟେ ତୈଳ କମ୍ପାନୀଗୁଡ଼ିକ ଏହାର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିବେ। ଏହି ମଡେଲ୍‌ ଦ୍ୱାରା ସରକାରୀ ଖର୍ଚ୍ଚ କମିବା ସହ କାର୍ଯ୍ୟ ଶୀଘ୍ର ସମାପ୍ତ ହେବାର ସମ୍ଭାବନା ରହିଛି।

ଆଜିର ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସମୀର ହୋତା, ଏନ୍‌ଏଚ୍‌ଆଇର ଆଞ୍ଚଳିକ ଅଧିକାରୀ ଶ୍ରୀ ପ୍ରଦୀପ ଲାଲ ଏବଂ ମୁଖ୍ୟଯନ୍ତ୍ରୀ (ଏନ୍‌ଏଚ୍‌) ଇଂ ନାରାୟଣ ପଟେଲଙ୍କ ସମେତ ପୂର୍ତ୍ତ, ପରିବହନ ଓ ପର୍ଯ୍ୟଟନ ବିଭାଗ ତଥା ଏଚ୍‌ପିସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପଦକ୍ଷେପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ସଡ଼କ ଭ୍ରମଣ ଅଧିକ ସୁରକ୍ଷିତ, ସୁଗମ ଓ ଆରାମଦାୟକ ହେବ ବୋଲି ଅନୁମାନ କରାଯାଉଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories