ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଦ୍ଵାରା ଆୟୋଜିତ ହେବାକୁ ଥିବା ୨୦୨୬ ମସିହା ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ଏକ ସମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଶ୍ରୀକାନ୍ତ ତାରାଇ ପରୀକ୍ଷା ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି।
ପରୀକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା:
ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି:
ପରୀକ୍ଷାର୍ଥୀଙ୍କ ସଂଖ୍ୟା: ଚଳିତ ବର୍ଷ ମୋଟ ୫,୬୧,୯୭୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ।
ପରୀକ୍ଷା କେନ୍ଦ୍ର: ରାଜ୍ୟର ମୋଟ ୩,୦୮୨ ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ।
ନୋଡାଲ କେନ୍ଦ୍ର: ପ୍ରଶ୍ନପତ୍ରର ସୁରକ୍ଷିତ ରଖିବା ପାଇଁ ୩୨୨ ଟି ନୋଡାଲ କେନ୍ଦ୍ର ସ୍ଥାପନ କରାଯାଇଛି। ଆସନ୍ତା ମଙ୍ଗଳବାର ଠାରୁ ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହେବ।
ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବୋର୍ଡ ଏଥର ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତା ନେଇଛି।
CCTV ସୁରକ୍ଷା: ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV କ୍ୟାମେରା ଲଗାଯାଇଛି। ବୋର୍ଡର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ରୁ ସମସ୍ତ କେନ୍ଦ୍ର ଉପରେ ସିଧାସଳଖ ନଜର ରଖାଯିବ।
QR କୋଡ୍ ଓ ୱାଟରମାର୍କ: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ପ୍ରତି ପୃଷ୍ଠାରେ QR କୋଡ୍ ଏବଂ ୱାଟରମାର୍କ ରହିବ। ଏହାଦ୍ୱାରା ପ୍ରଶ୍ନପତ୍ର କେଉଁଠାରୁ ଲିକ୍ ହେଉଛି ବା କେଉଁ କେନ୍ଦ୍ରର, ତାହା ସହଜରେ ଜଣାପଡ଼ିବ।
ସ୍ୱତନ୍ତ୍ର ନଜର: ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଭଳି ୫ଟି ଦୂରବର୍ତ୍ତୀ ଜିଲ୍ଲା ଉପରେ ଲାଇଭ୍ CCTV ଫିଡ୍ ଜରିଆରେ ବିଶେଷ ନଜର ରଖାଯିବ।
“ଆମେ ଲାଇଭ୍ CCTV ଏବଂ QR-କୋଡେଡ୍ ପ୍ରଶ୍ନପତ୍ର ମାଧ୍ୟମରେ ସମସ୍ତ ନୋଡାଲ ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକୁ କଡ଼ାକଡ଼ି ଭାବେ ତଦାରଖ କରିବୁ।” – ଶ୍ରୀକାନ୍ତ ତାରାଇ, ସଭାପତି, BSE ଓଡ଼ିଶା
ଛାତ୍ରଛାତ୍ରୀଙ୍କ ପାଇଁ ସୁବିଧା
ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ସେମାନଙ୍କ ବାସସ୍ଥାନରୁ ୩ ରୁ ୧୦ କିଲୋମିଟର ମଧ୍ୟରେ ପରୀକ୍ଷା କେନ୍ଦ୍ର ଗୁଡ଼ିକ ଆଲର୍ଟ କରାଯାଇଛି। ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ମଧ୍ୟ ସକାଳ ୯ଟାରୁ ୧୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ପରୀକ୍ଷା ପରିଚାଳନାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।








