ଭୁବନେଶ୍ବର: ରାଜ୍ୟର ସମସ୍ତ ଶିଶୁଙ୍କ ପୁଷ୍ଟି ସୁନିଶ୍ଚିତ କରିବାପାଇଁ ସରକାର ‘ସୁପୋଷିତ ଓଡିଶା ମିଶନ’ ଲୋକାର୍ପଣ କରିଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଲୋକସେବା ଭବନରେ ଏହାର ଶୁଭାରମ୍ଭ କରି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ସୁପୋଷିତ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟ ଉଲ୍ଲେଖ କରିଛନ୍ତି ।ଏହି ମିଶନ ଦ୍ୱାରା କୁପୋଷିତ, କମ୍ ଓଜନ ଓ ଦୁର୍ବଳ ଶିଶୁଙ୍କ ପାଇଁ ବିଶେଷ ଯତ୍ନ, ପୋଷଣ ଟ୍ରାକର ତଥ୍ୟର ତୁରନ୍ତ ସମୀକ୍ଷା ଓ ଡ୍ୟାସ୍ବୋର୍ଡ ମାଧ୍ୟମରେ ପରିବକ୍ଷଣ କରାଯିବ ।ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ପଛୁଆ ବର୍ଗ କଲ୍ୟାଣ, ମିଶନ ଶକ୍ତି ଇତ୍ୟାଦି ବିଭାଗ ମିଶି ଏକ ଏକତ୍ରୀକୃତ ସେବା ମଡେଲ ତିଆରି କରି ଗେଡ଼ାପଣ, କ୍ଷୀଣକାୟ ଅବସ୍ଥା ଓ ରକ୍ତହୀନତା ହ୍ରାସ କରିବେ । ଏହା ଦ୍ୱାରା ରାଜ୍ୟର ପୁଷ୍ଟି ଫଳାଫଳ ଅଧିକ ସୁଦୃଢ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିଭଳି ଓଡ଼ିଶାର ବିଭିନ୍ନ ସ୍ଥାନର ଖାଦ୍ୟକୁ ନେଇ ଏକ ରୋଷେଇ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଛି । ଏଥିରେ ଶହେ ପ୍ରକାରର ବ୍ୟଞ୍ଜନ ସ୍ଥାନ ପାଇଛି । ରାଜ୍ୟର ପ୍ରତ୍ୟେକ ଖାଦ୍ୟରେ ଭରି ରହିଛି ସ୍ୱତନ୍ତ୍ର ପରମ୍ପରା । ଗୋଟିଏ ସ୍ଥାନର ଖାଦ୍ୟକୁ ଅନ୍ୟ ସ୍ଥାନରେ ବାସ କରୁଥିବା ଜନସାଧାରଣଙ୍କ ନିକଟରେ ଏହା ପହଞ୍ଚାଇ ପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏତଦ୍ବ୍ୟତୀତ ଓଡ଼ିଶାରେ ପୋଷଣର ପରିଦୃଶ୍ୟ ଉପରେ ଏକ କଫିଟେବୁଲ୍ ବୁକ୍କୁ ମଧ୍ୟ ସେ ଉନ୍ମୋଚିତ କରିଛନ୍ତି । ଏହା ସମସ୍ତଙ୍କ ନିକଟରେ ଉପଲବ୍ଧ ହେବା ଦ୍ୱାରା ସମସ୍ତ ଅଙ୍ଗନବାଡ଼ି କର୍ମୀ, ପାଚିକା, ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ସଦସ୍ୟା, ମା’ ଏବଂ କିଶୋରୀମାନେ ମଧ୍ୟ ଖାଦ୍ୟ ଗୁଣବତ୍ତାସଂପନ୍ନ ପ୍ରସ୍ତୁତ ପ୍ରଣାଳୀକୁ ଅନୁସରଣ କରିପାରିବେ । ଏତଦ୍ବ୍ୟତୀତ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ଓ ଶିଶୁମାନଙ୍କ ଜୀବନକୁ ପ୍ରାଧାନ୍ୟ ଦେଇ ସ୍ୱତନ୍ତ୍ର ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବ । ଅଗ୍ନିଜନିତ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ବାଲିବସ୍ତା ଓ ଅଗ୍ନିନିର୍ବାପକ କମଳ ଭଳି ସରଞ୍ଜାମ ରଖାଯିବ । ସେହିଭଳି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଏକ ସିଲାଇ ୟୁନିଟ୍ର ମଧ୍ୟ ଲୋକାର୍ପଣ ହୋଇଛି । ଏହା ଦ୍ୱାରା ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କୁ ବ୍ୟବହାରିକ ଜ୍ଞାନ, ଆୟବୃଦ୍ଧି ନିମନ୍ତେ ଦକ୍ଷତା ବିକାଶ ପ୍ରଦାନ କରିବ ।
ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସମ୍ୱନ୍ୱିତ ଶିଶୁ ବିକାଶ ସେବା ନିର୍ଦ୍ଦେଶିକା ଶ୍ରୀମତୀ ମନୀଷା ବାନାର୍ଜୀ, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି, ଶ୍ରୀ ନିଲୁ ମହାପାତ୍ର, ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରି ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।







