ଭୁବନେଶ୍ବର: ରାଜ୍ୟରେ ଅତିରିକ୍ତ ବଜେଟ୍ ଆସିଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ୧୭ ହଜାର ୪୪୦ କୋଟି ଟଙ୍କାର ଏହି ବଜେଟ୍ରେ ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ବ୍ୟୟବରାଦ କରିଛନ୍ତି। ଏହାଦ୍ୱାରା ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
ବିଭିନ୍ନ କ୍ଷେତ୍ରକୁ ଅତିରିକ୍ତ ବଜେଟରେ ମିଳିଥିବା ବ୍ୟୟବରାଦ ଉପରେ ନଜର ପକାଇଲେ ଜଣାପଡ଼େ ଯେ ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ ପାଇଁ ସର୍ବାଧିକ ୪,୩୨୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ସରକାରଙ୍କ ପ୍ରାଥମିକତାକୁ ଦର୍ଶାଉଛି। ଏହା ବ୍ୟତୀତ ଶିକ୍ଷା କ୍ଷେତ୍ର ପାଇଁ ୨,୩୨୭ କୋଟି ଟଙ୍କା ଏବଂ ସହରୀ ବିକାଶ ପାଇଁ ୨,୩୦୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶିକ୍ଷା ଏବଂ ସହରୀ ଭିତ୍ତିଭୂମିର ଉନ୍ନତି ପାଇଁ ସରକାରଙ୍କ ପ୍ରତିବଦ୍ଧତା ଏଥିରୁ ସ୍ପଷ୍ଟ ହେଉଛି।
ଗ୍ରାମାଞ୍ଚଳ ବିକାଶ ଏବଂ କୃଷିକୁ ମଧ୍ୟ ଅତିରିକ୍ତ ବଜେଟରେ ଗୁରୁତ୍ୱ ଦିଆଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧,୬୭୩ କୋଟି ଟଙ୍କା ଏବଂ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ପାଣ୍ଠି କୃଷକମାନଙ୍କୁ ସହାୟତା କରିବା ସହ ଗ୍ରାମାଞ୍ଚଳରେ ପାନୀୟଜଳ ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶରେ ସହାୟକ ହେବ।
ଜନସ୍ୱାସ୍ଥ୍ୟ ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ମଧ୍ୟ ବୃହତ ପରିମାଣର ପାଣ୍ଠି ବ୍ୟୟବରାଦ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧,୧୬୪ କୋଟି ଟଙ୍କା ଓ ମହିଳା ଓ ଶିଶୁ ବିକାଶ ପାଇଁ ୧,୫୫୮ କୋଟି ଟଙ୍କା ଘୋଷଣା କରାଯାଇଛି। ଏହା ବ୍ୟତୀତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି ଟଙ୍କା ଏବଂ ଭିତ୍ତିଭୂମି ବିକାଶ ପାଇଁ ୧,୯୫୫ କୋଟି ଟଙ୍କାର ବ୍ୟୟବରାଦ ରହିଛି। ସେହିପରି, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ୫୭୬ କୋଟି ଟଙ୍କା, ଶିଳ୍ପ ଏବଂ ଏମଏସଏମଇ ବିକାଶ ପାଇଁ ୩୩୭ କୋଟି ଟଙ୍କା, ଓଡ଼ିଆ ଭାଷା, ସଂସ୍କୃତି ଏବଂ ହସ୍ତତନ୍ତ, ବୟନଶିଳ୍ପ ପାଇଁ ୩୬୩ କୋଟି ଟଙ୍କା ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ୧୧୭ କୋଟି ଟଙ୍କା ଦିଆଯାଇଛି। ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳା କ୍ଷେତ୍ର ପାଇଁ ୩୧୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଏହି ଅତିରିକ୍ତ ବଜେଟ୍ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।








