​ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କୁ ଟକ୍କର ଦେବେ ଦିଲ୍ଲୀପ ରାୟ, କିଏ ମାରିବ ବାଜି?

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ‘ସଂଖ୍ୟା ଖେଳ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ୪ଟି ଆସନ ମଧ୍ୟରୁ ୩ଟିରେ ସମୀକରଣ ସ୍ପଷ୍ଟ ଥିବା ବେଳେ, ଚତୁର୍ଥ ଆସନଟି ଏବେ ‘ପ୍ରତିଷ୍ଠାର ଲଢ଼େଇ’ ପାଲଟିଛି। ଗୋଟିଏ ପଟେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଥିବା ବେଳେ, ଅନ୍ୟପଟେ ହେଭିୱେଟ ନେତା ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବା ସ୍ଥିତିକୁ ବେଶ୍ ରୋଚକ କରିଦେଇଛି।

ସଂଖ୍ୟା ଗଣିତର ଗୋଲକଧନ୍ଦା

୧୪୭ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ବିଜେପି ପାଖରେ ୮୨ ଜଣ ବିଧାୟକ (୩ ସ୍ୱାଧୀନଙ୍କ ସମେତ) ଅଛନ୍ତି। ଦୁଇଟି ଆସନ ଜିତିବା ପାଇଁ ବିଜେପିକୁ ୬୦ଟି ଭୋଟ୍ ଆବଶ୍ୟକ। ଦଳ ନିଜର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ଜିତାଇବା ପରେ ବି ବିଜେପି ପାଖରେ ୨୨ଟି ବଳକା ଭୋଟ୍ ରହୁଛି।

ଅନ୍ୟପଟେ, ୪୮ ବିଧାୟକ ଥିବା ବିଜେଡି ନିଜର ପ୍ରଥମ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କୁ ସହଜରେ ଜିତାଇ ପାରିବ। କିନ୍ତୁ ଚତୁର୍ଥ ଆସନ ପାଇଁ ଆବଶ୍ୟକ ୩୦ଟି ଭୋଟ୍ ବିଜେଡି ପାଖରେ ନାହିଁ। ଏଠାରେ କଂଗ୍ରେସର ୧୪ ବିଧାୟକ ଏବଂ ସିପିଆଇର ଜଣେ ବିଧାୟକଙ୍କ ସମର୍ଥନରେ ବିଜେଡି-କଂଗ୍ରେସ ମେଣ୍ଟର ସଂଖ୍ୟା ୩୩ରେ ପହଞ୍ଚୁଛି, ଯାହା ବିଜୟ ପାଇଁ ଯଥେଷ୍ଟ। କିନ୍ତୁ ଦିଲ୍ଲୀପ ରାୟଙ୍କ ପ୍ରାର୍ଥିତ୍ୱ ଏହି ଗଣିତକୁ ଓଲଟପାଲଟ କରିଦେବା ଭଳି ମନେହେଉଛି।

୨୦୦୨ ଇତିହାସ ଦୋହରାଇବେ କି ଦିଲ୍ଲୀପ?

ରାଜନୈତିକ ସମୀକ୍ଷକମାନେ ୨୦୦୨ ମସିହାର ସେହି ଚର୍ଚ୍ଚିତ ଘଟଣାକୁ ମନେ ପକାଉଛନ୍ତି, ଯେଉଁଠି ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ବିଜେଡି ଏବଂ କଂଗ୍ରେସରୁ ‘କ୍ରସ୍ ଭୋଟିଂ’ କରାଇ ବିଜୟୀ ହୋଇଥିଲେ। ଚଳିତ ଥର ମଧ୍ୟ ସେ ସମାନ ଆତ୍ମବିଶ୍ୱାସ ଦେଖାଇଛନ୍ତି।

ଦିଲ୍ଲୀପ ରାୟଙ୍କ ନିଜ ପ୍ରତିକ୍ରିୟା ରଖି କହିଛନ୍ତି “ମୁଁ ମାର୍ଚ୍ଚ ୫ ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବି। କେନ୍ଦ୍ରୀୟ ଓ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ମୋର ଆଲୋଚନା ହୋଇଛି। ପୂର୍ବରୁ ମଧ୍ୟ ମୋର ଏଭଳି ପରିସ୍ଥିତିରେ ଲଢ଼ିବାର ଅଭିଜ୍ଞତା ରହିଛି।”

ନବୀନଙ୍କ ପାଇଁ ପ୍ରତିଷ୍ଠାର ପ୍ରଶ୍ନ

୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ଏହି ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଜଣେ ‘ସାଧାରଣ ପ୍ରାର୍ଥୀ’ ଭାବେ ଛିଡ଼ା କରି ନବୀନ ବିରୋଧୀ ଏକତା ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି

ଡାକ୍ତର ଦତ୍ତେଶ୍ୱର ହୋତା ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଜେ “ମୁଁ ଜଣେ କମନ ପ୍ରାର୍ଥୀ ଭାବେ ସମସ୍ତଙ୍କ ସହଯୋଗ ଭିକ୍ଷା କରିଛି। କଂଗ୍ରେସକୁ ମଧ୍ୟ ଧନ୍ୟବାଦ ଜଣାଉଛି। ସୁଯୋଗ ମିଳିଲେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବି।”

ନଜରରେ ବିଜେପିର ରଣନୀତି

ବିଜେପି ପକ୍ଷରୁ ମଧ୍ୟ ରଣନୀତି ପ୍ରସ୍ତୁତ। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ନିଜେ ପ୍ରାର୍ଥୀ ହୋଇଥିବା ବେଳେ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଦେଇ ବିଜେଡି ଶିବିରରେ ପୁଣି ଥରେ ହଲଚଲ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବିଜେପି।

ଦିଲ୍ଲୀପ ରାୟ କୌଣସି ପ୍ରକାରେ ବିରୋଧୀ ଦଳରୁ ୮ ରୁ ୧୦ଟି ଭୋଟ୍ ନିଜ ସପକ୍ଷକୁ ଆଣିବାରେ ସଫଳ ହୁଅନ୍ତି, ତେବେ ଏହା ନବୀନ ପଟ୍ଟନାୟକଙ୍କ ପାଇଁ ଏକ ବଡ଼ ଝଟକା ହେବ। ମାର୍ଚ୍ଚ ୧୬ରେ ହେବାକୁ ଥିବା ଭୋଟିଂ ଓଡ଼ିଶା ରାଜନୀତିର ଭବିଷ୍ୟତ ଦିଗ ନିର୍ଣ୍ଣୟ କରିବ।

Latest Stories