କାୟମ ରହିଲା ୫ ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର, ଆରମ୍ଭ ହେଲା ଅଙ୍କକଷା

ଭୁବନେଶ୍ୱର:  ଓଡ଼ିଶାରେ ଖାଲି ପଡ଼ିଥିବା ଚାରୋଟି ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା କରାଯାଇଥିବା ଏହି ଯାଞ୍ଚ ପରେ ମଇଦାନରେ ଥିବା ସମସ୍ତ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବୈଧ ଘୋଷଣା କରାଯାଇଛି। ଏହାସହ ଚତୁର୍ଥ ଆସନ ପାଇଁ ରାଜନୈତିକ ସମୀକରଣ ଏବେ ଅଧିକ ରୋଚକ ମୋଡ଼ରେ ପହଞ୍ଚିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ସନ୍ତୃପ୍ତ ମିଶ୍ର ନିଜର ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ବିଜେଡି ଓ କଂଗ୍ରେସର ମିଳିତ ସମର୍ଥନରେ ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲୀପ ରାୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯାଞ୍ଚ ସମୟରେ ସମସ୍ତଙ୍କ ଦସ୍ତାବେଜ ଠିକ୍ ଥିବାରୁ କାହାରି ପ୍ରାର୍ଥୀପତ୍ର ନାକଚ ହୋଇନାହିଁ।

ଆସନ୍ତା ୯ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବାରୁ ସେହିଦିନ ଚୂଡ଼ାନ୍ତ ଚିତ୍ର ସ୍ପଷ୍ଟ ହେବ। ଯଦି କେହି ପ୍ରାର୍ଥିତ୍ୱ ପ୍ରତ୍ୟାହାର ନକରନ୍ତି, ତେବେ ୧୬ ତାରିଖରେ ବିଧାନସଭା ପରିସରରେ ମତଦାନ ଅନୁଷ୍ଠିତ ହେବ। ବିଶେଷ କରି ଚତୁର୍ଥ ଆସନ ପାଇଁ ଦିଲୀପ ରାୟ ଓ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ କଡ଼ା ଫାଇଟ୍ ହେବା ନେଇ ଚର୍ଚ୍ଚା ହେଉଛି। ଏହି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ପ୍ରଥମ ତିନୋଟି ଆସନରେ ବିଜେପି ଓ ବିଜେଡିର ବିଜୟ ସୁନିଶ୍ଚିତ ଜଣାପଡୁଥିଲେ ହେଁ, ଚତୁର୍ଥ ଆସନଟି କାହା ଖାତାକୁ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Latest Stories