ଭୁବନେଶ୍ୱର: ରାଜ୍ୟରେ ଏବେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟର ପ୍ରାୟ ୧୦ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି। କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ ହୋଇଛି, ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ରହିଛି।
ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଶୀତର ମାତ୍ରା ବଢିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଶୀତ ସାଙ୍ଗକୁ ପ୍ରବଳ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଠାରେ ପାରଦ ୭ ଡିଗ୍ରୀ ତଳେ ରହିବା ସହ ଘନ କୁହୁଡ଼ି ଯୋଗୁଁ ସକାଳ ୧୦ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଆସନ୍ତା ନୂଆବର୍ଷ ଆରମ୍ଭ ଯାଏ ରାଜ୍ୟରେ ଏଭଳି ଶୀତ ଲହରୀ ଜାରି ରହିବ।








