ଶୀତରେ ଥରୁଛି ଓଡ଼ିଶା! ବଢୁଛି ଜାଡ଼, କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି ଏବଂ ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ଆହୁରି ହ୍ରାସ ପାଇବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଏକାଧିକ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି।

ସେମିଳିଗୁଡ଼ା ସବୁଠାରୁ ଅଧିକ ଥଣ୍ଡା ସ୍ଥାନ ଭାବରେ ରେକର୍ଡ କରାଯାଇଛି, ଯେଉଁଠାରେ ସର୍ବନିମ୍ନ ତାପମାତ୍ରା 5.2 degreeରେ ପହଞ୍ଚିଛି। ଏହା ବ୍ୟତୀତ, କୋରାପୁଟ (6.5 C), ଫୁଲବାଣୀ ଓ ଦାରିଙ୍ଗବାଡ଼ି (7C), ଏବଂ ଜି. ଉଦୟଗିରି (7.6C) ରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା 14.2C ଓ କଟକରେ 13.0 C ରେକର୍ଡ କରାଯାଇଛି।

ବିଶେଷ କରି ସକାଳ ସମୟରେ ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ରାଉରକେଲାରେ ‘ଅତି ଘନ କୁହୁଡ଼ି’ ଯୋଗୁଁ ଦୃଶ୍ୟମାନତା ୫୦ ମିଟରରୁ କମ୍ ହୋଇଯାଇଥିବା ବେଳେ ଫୁଲବାଣୀ ଓ କୋରାପୁଟରେ ମଧ୍ୟ ଘନ କୁହୁଡ଼ି ପଡ଼ିଥିଲା। ଏହି କୁହୁଡ଼ି ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଆସନ୍ତା ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ଲୋକମାନଙ୍କୁ ସକାଳ ସମୟରେ ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ଅଧିକ ଉଷୁମ ପୋଷାକ ପିନ୍ଧିବାକୁ ଏବଂ ଆବଶ୍ୟକ ନ ଥିଲେ ସକାଳୁ ବାହାରକୁ ନ ଯିବାକୁ କୁହାଯାଇଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories