ଭୁବନେଶ୍ବର: ରାଜ୍ୟର ସବୁ ସରକାରୀ ସ୍କୁଲ ଗୁଡିକର ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ବଦଳିବ। ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ସରକାରଙ୍କ ଯୋଜନା ରହିଛି ଓ ଏଥି ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି ବୋଲି ବିଧାନସଭା ଶୀତ ଅଧିବେଶନରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ଏ ନେଇ ଗୃହରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଲିଖିତ ପ୍ରଶ୍ନ କରିଥିଲେ। ଶ୍ରୀ ସ୍ଵାଇଁ ତାଙ୍କ ପ୍ରଶ୍ନରେ ଜାଣିବାକୁ ଚାହିଁଥିଲେ ଯେ ରାଜ୍ୟରେ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ହେଉଥିବା ସ୍କୁଲ ଗୁଡିକର ପାଠ୍ୟପୁସ୍ତକ ପରିବର୍ତନ କରିବାର ସରକାରଙ୍କ କିଛି ପରିକଳ୍ପନା ଅଛି କି। ଯଦି ରହିଛି କେଉଁ କେଉଁ ଶ୍ରେଣୀ ଏବଂ କେଉଁ କେଉଁ ବିଷୟରେ ପରିବର୍ତନ କରିବାକୁ ସରକାର ଯାଉଛନ୍ତି ତାହାର ସବିଶେଷ ବିବରଣୀ ଉପସ୍ଥାପନ କରିବା ନେଇ ପ୍ରଶ୍ନ କରିଥିଲେ। ସେହିପରି ରାଜ୍ୟରେ ପାଠ୍ୟପୁସ୍ତକ ଡ୍ରାଫ୍ଟ ପାଇଁ ଗଠିତ ହେଉଥିବା କମିଟିରେ କେଉଁମାନେ ରାଇଟ ରସ ପ୍ୟାନେଲ ରେ ସଭ୍ୟ ଅଛନ୍ତି।
ସରକାରୀ କଲେଜ/ବିଶ୍ଵବିଦ୍ୟାଳୟରୁ କେଉଁମାନେ ଓ ସରସ୍ୱତୀ ଶିଶୁ ମନ୍ଦିରରୁ କେଉଁମାନେ ଅଛନ୍ତି ତାର ଏକ ନିର୍ଦ୍ଦିଷ୍ଟ ଭାବେ ଜଣାଇବା ସହ ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ ନିୟମାବଳୀରେ ତଥ୍ୟ ଉପସ୍ଥାପନା ନେଇ ଶ୍ରୀ ସ୍ଵାଇଁ ପ୍ରଶ୍ନ କରିଥିଲେ। ଲିଖିତ ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ହେଉଥିବା ସ୍କୁଲ ଗୁଡିକର ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପରିବର୍ତନ ପାଇଁ ସରକାରଙ୍କ ପରିକଳ୍ପନା ରହିଛି ଓ ଏହାର ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଜାରି ରହିଛି। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଡ୍ରାଫ୍ଟ ପାଇଁ ଗଠିତ କମିଟିର ସବିଶେଷ ବିବରଣୀ ପ୍ରଦାନ କରୁଛନ୍ତି।
ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ଜାତୀୟ ପାଠ୍ୟକ୍ରମ ରୂପରେଖର (NCF) ସମାନ୍ତରାଳରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିବା ତଥା ସ୍ଥାନୀୟ ପ୍ରସଙ୍ଗ ଯାହାକି ଓଡ଼ିଶାର ସାଂସ୍କୃତିକ, ଭୌଗଳିକ, ଲଜିଷ୍ଟିକ୍ ବିଷୟବସ୍ତୁକୁ ଆବଶ୍ୟକତା ଅନୁସାରେ ପାଠ୍ୟପୁସ୍ତକରେ ସ୍ଥାନିତ କରିବାପାଇଁ ସ୍ଥିରୀକୃତ କରାଯାଇଛି ।







