ଭୁବନେଶ୍ୱର: Odisha Tourismରେ ଆସିଛି ବଡ଼ ପରିବର୍ତ୍ତନର ସଙ୍କେତ। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ପାଇଁ ୧୧,୫୦୯ କୋଟି ଟଙ୍କାର Tourism Investment ପ୍ରସ୍ତାବ ସାମ୍ନାକୁ ଆସିଥିବା ବେଳେ ପ୍ରାୟ ୧.୨୦ ଲକ୍ଷ ଚାକିରି ସୃଷ୍ଟିର ସମ୍ଭାବନା ରହିଛି। ଏହା ସହ ରାଜ୍ୟରେ ପ୍ରାୟ ୧୪,୦୦୦ ନୂଆ ହୋଟେଲ୍ ରୁମ୍ ଯୋଡ଼ିବାର ଯୋଜନା ମଧ୍ୟ ରହିଛି। ଅର୍ଥାତ୍, ନିବେଶଠାରୁ ଆରମ୍ଭ କରି ରୋଜଗାର ଓ ପର୍ଯ୍ୟଟନ ଭିତ୍ତିଭୂମି—ତିନୋଟି ଦିଗରେ ଏକାସାଙ୍ଗରେ ବଡ଼ ବିସ୍ତାର ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଛି। ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରସ୍ତାବ କେବଳ ଭୁବନେଶ୍ୱର କିମ୍ବା ପୁରୀ ଭଳି ପାରମ୍ପରିକ ପର୍ଯ୍ୟଟନ କେନ୍ଦ୍ରରେ ସୀମିତ ନୁହେଁ। ଖୋର୍ଦ୍ଧା, କଟକ, କୋରାପୁଟ, ଜଗତସିଂହପୁର ଓ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ନୂଆ Tourism Jobs ଓ ବ୍ୟବସାୟିକ ସୁଯୋଗ ସହ ଯୋଡ଼ିବାର ରାସ୍ତା ଖୋଲୁଛି। ଏହି ବଡ଼ Tourism Investment ପ୍ରସ୍ତାବଗୁଡ଼ିକ ଭୁବନେଶ୍ୱରରେ ଆୟୋଜିତ ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ଅବସରରେ ସାମ୍ନାକୁ ଆସିଛି।
Odisha Tourism: ନିବେଶର ନୂଆ ମାନଚିତ୍ରରେ ଓଡ଼ିଶାର ସବୁ ଜିଲ୍ଲା
ଏହି Tourism Investmentର ବିଶେଷତ୍ୱ ହେଉଛି ଏହା କେବଳ କିଛି ପ୍ରମୁଖ ସହର ମଧ୍ୟରେ ସୀମିତ ନୁହେଁ। ଖୋର୍ଦ୍ଧାରେ ୧,୦୦୦ କୋଟିରୁ ଅଧିକ, କଟକରେ ପ୍ରାୟ ୮୫୦ କୋଟି, କୋରାପୁଟରେ ୫୩୦ କୋଟି, ଜଗତସିଂହପୁରରେ ୫୨୫ କୋଟି ଏବଂ ଗଞ୍ଜାମରେ ପ୍ରାୟ ୫୧୦ କୋଟି ଟଙ୍କାର ପ୍ରସ୍ତାବ ଆସିଛି। ବାଲେଶ୍ୱର ଓ ଭଦ୍ରକ ଭଳି ଜିଲ୍ଲାରେ ମଧ୍ୟ ହୋଟେଲ୍, ରିସର୍ଟ ଓ ପ୍ରକୃତିଭିତ୍ତିକ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ପ୍ରସ୍ତାବ ମିଳିଛି। ସରକାରଙ୍କ ଯୋଜନା ଏବେ ପୁରୀ-କୋଣାର୍କ-ଭୁବନେଶ୍ୱର ଭଳି ପରିଚିତ ସ୍ଥାନରେ ସୀମିତ ନରହି ଅନ୍ୟ ଅଞ୍ଚଳକୁ ମଧ୍ୟ ପର୍ଯ୍ୟଟନ ମାନଚିତ୍ରରେ ଆଣିବା। ହୀରାକୁଦ, ସିମିଳିପାଳ, କୋଲାବ, ମହେନ୍ଦ୍ରଗିରି ଓ ଜିରାଙ୍ଗ ଭଳି ସ୍ଥାନକୁ ନୂଆ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ବିକଶିତ କରିବା ଉପରେ ମଧ୍ୟ ଗୁରୁତ୍ୱ ରହିଛି। ସରକାର ଅତି କମରେ ୧୫ଟି ନୂଆ ଗନ୍ତବ୍ୟକୁ ପୁରୀ ଓ କୋଣାର୍କ ଭଳି ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି।
ଏହା ସହିତ ପର୍ଯ୍ୟଟନ କ୍ଷେତ୍ରରେ ନିବେଶକୁ ସହଜ କରିବା ପାଇଁ ଷ୍ଟାର୍ ହୋଟେଲ୍ ପାଇଁ ସର୍ବନିମ୍ନ ରୁମ୍ ଆବଶ୍ୟକତା ୫୦ରୁ ୧୦କୁ କମାଯାଇଛି। ପୁଞ୍ଜି ସବସିଡିର ସୀମା ମଧ୍ୟ ୨୦ କୋଟିରୁ ବଢ଼ାଇ ୧୨୦ କୋଟି ଟଙ୍କା କରାଯାଇଛି। ଏହାଛଡ଼ା ୨୦୨୬ରୁ ୨୦୩୧ ମଧ୍ୟରେ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ୧,୫୦୦ କୋଟି ଟଙ୍କା ଏବଂ ୫,୫୦୦ ଏକରର ଜମି ବ୍ୟାଙ୍କ ରଖିବାର ବ୍ୟବସ୍ଥା ହୋଇଛି।
ଅନ୍ୟପଟେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି। ୨୯ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକ ପୁଲିସ ନିୟୋଜନ ସହ ସମୁଦ୍ରକୂଳ ଓ ଜଳକ୍ରୀଡ଼ା ସ୍ଥଳୀରେ ୧,୦୦୦ ପ୍ରଶିକ୍ଷିତ ଲାଇଫଗାର୍ଡ ନିୟୋଜନ କରାଯିବ। ଅଧିକ ଭିଡ଼ ହେଉଥିବା ସ୍ଥାନରେ ଗନ୍ତବ୍ୟ ପରିଚାଳକ ନିଯୁକ୍ତିର ମଧ୍ୟ ଯୋଜନା ରହିଛି। ଏହି ସମସ୍ତ ପଦକ୍ଷେପ ମିଶିଲେ ଓଡ଼ିଶାର Tourism Jobs ସୁଯୋଗ ମଧ୍ୟ ବଢ଼ିପାରେ। ହୋଟେଲ୍, ରିସର୍ଟ, ପରିବହନ, ସ୍ଥାନୀୟ ଗାଇଡ୍, ହସ୍ତଶିଳ୍ପ, ଖାଦ୍ୟ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସେବା ସହ ଜଡ଼ିତ ବ୍ୟବସାୟ ପାଇଁ ଏହି ନିବେଶ ନୂଆ ସୁଯୋଗ ସୃଷ୍ଟି କରିପାରେ। ପର୍ଯ୍ୟଟକଙ୍କ ରହଣି ସୁବିଧା ବଢ଼ାଇବା ଦିଗରେ ରାଜ୍ୟର ‘ଗୋ-ହୋମଷ୍ଟେ’ ପଦକ୍ଷେପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ପର୍ଯ୍ୟଟନକୁ ଅର୍ଥନୈତିକ ବିକାଶ ଓ ରୋଜଗାରର ଏକ ପ୍ରମୁଖ ଆଧାର କରିବା।






