ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ: ଚାଷୀ ଆୟ ୧୨ ହଜାର କରିବାକୁ ଲକ୍ଷ୍ୟ

ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ: ଚାଷୀ ଆୟ ୧୨ ହଜାର କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟର କୃଷକ ପରିବାରର ମାସିକ ଆୟକୁ ବୃଦ୍ଧି କରିବା ନେଇ ରାଜ୍ୟ ସରକାର ଏକ ବଡ଼ ଲକ୍ଷ୍ୟ ରଖିଥିବା କଥା ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସୂଚନା ଦେଇଛନ୍ତି। ‘ବିକଶିତ ଓଡ଼ିଶା ୨୦୩୬’ ଅଧୀନରେ ରାଜ୍ୟର ଚାଷୀ ପରିବାରର ମାସିକ ଆୟକୁ ୧୨,୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ବିଧାନସଭାରେ ଲିଖିତ ଉତ୍ତର ମାଧ୍ୟମରେ ଜଣାଇଛନ୍ତି।

ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ଜାତୀୟ ପରିସଂଖ୍ୟନ କାର୍ଯ୍ୟାଳୟ (NSO)ର ତଥ୍ୟ ଅନୁଯାୟୀ, ୨୦୧୮-୧୯ ମସିହାରେ ଆମ ରାଜ୍ୟର କୃଷକ ପରିବାରର ମାସିକ ଆୟ ମାତ୍ର ୫,୧୧୨ ଟଙ୍କା ଥିଲା। ଏହି ଆୟକୁ ଆଗାମୀ ବର୍ଷଗୁଡ଼ିକରେ ୧୨ ହଜାର ଟଙ୍କାରେ ପହଞ୍ଚାଇବା ପାଇଁ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି। ଉକ୍ତ ଲକ୍ଷ୍ୟ ହାସଲ ପାଇଁ କୃଷି କ୍ଷେତ୍ରରେ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହାୟତା କରିବା, ଉନ୍ନତ କୃଷି ପ୍ରଣାଳୀ ଓ ପ୍ରଯୁକ୍ତିର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯିବ।

ନୂଆ ସରକାରରେ ଆତ୍ମହତ୍ୟା ଶୂନ

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ନୂଆ ସରକାର କାର୍ଯ୍ୟଭାର ସମ୍ଭାଳିବା ପରେ କୌଣସି ଚାଷୀ ଆତ୍ମହତ୍ୟା ଘଟଣା ଘଟିନାହିଁ। କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି।

କଂଗ୍ରେସ ବିଧାୟକ ପ୍ରଶ୍ନ କରିଥିଲେ ଯେ, ଗତବର୍ଷ କେତେ ଚାଷୀଙ୍କ ମୃତ୍ୟୁ ହୋଇଛି, କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ଏବଂ ଋଣ ଭାରରେ ଚିନ୍ତାଗ୍ରସ୍ତ ହୋଇ କେତେ ଚାଷୀ ଜୀବନ ହାରିଛନ୍ତି। ଏହାର ଲିଖିତ ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ଗୋଟିଏ ବି ଚାଷୀ ଆତ୍ମହତ୍ୟାର ସୂଚନା ନାହିଁ।” ଚାଷ ଭାର କିମ୍ବା ଋଣ ଭାର ନେଇ କୌଣସି ଚାଷୀ ଆତ୍ମହତ୍ୟା କରିଥିବା ଖବର ସରକାରଙ୍କ ପାଖରେ ନଥିବା କଥା ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଚାଷୀଙ୍କ ଆୟ ବୃଦ୍ଧିର ଲକ୍ଷ୍ୟ ଏବଂ ଚାଷୀ ଆତ୍ମହତ୍ୟା ଶୂନ ହେବା ନେଇ ସରକାର ଦେଇଥିବା ଉତ୍ତର ରାଜ୍ୟର କୃଷି କ୍ଷେତ୍ର ପାଇଁ ଏକ ସକାରାତ୍ମକ ଦିଗ ସୃଷ୍ଟି କରିଛି। କୃଷି ଓ କୃଷକଙ୍କ ସମସ୍ୟା ଦୂର କରିବା ନେଇ ନୂଆ ସରକାରଙ୍କ ପ୍ରତିବଦ୍ଧତା ଏହି ତଥ୍ୟରୁ ସ୍ପଷ୍ଟ ହେଉଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories