ଭୁବନେଶ୍ୱର: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡଶୋ ସଫଳତାପୂର୍ବକ ଶେଷ କରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଆଜି ଲୋକସେବା ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଗସ୍ତର ସଫଳତା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ଆଗାମୀ ଦିନରେ ଭାରତର ସର୍ବବୃହତ ନିବେଶ କେନ୍ଦ୍ର ଭାବେ ଉଭା ହେବ। ଶିଳ୍ପପତିମାନଙ୍କ ମଧ୍ୟରେ ଓଡ଼ିଶା ପ୍ରତି ଆସ୍ଥା ବୃଦ୍ଧି ପାଇଛି ଏବଂ ସେମାନେ ଓଡ଼ିଶାକୁ ଦେଶର ପ୍ରଗତିର ଇଞ୍ଜିନ ଭାବେ ଦେଖୁଛନ୍ତି। ଶିଳ୍ପାୟନର ଏହି ସଫଳତା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମିଡାସ୍ ଟଚ୍’ ବା ଯାଦୁକରୀ ସ୍ପର୍ଶ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ହାଇଦ୍ରାବାଦ ଗସ୍ତ ସମୟରେ ମୋଟ ୬୬,୭୮୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହା ମଧ୍ୟରେ ୧୩ଟି ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିବା ବେଳେ ୯ଟି ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ଫାଇଲିଂ (IIF) କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପ୍ରାୟ ୫୬,୩୪୦ ଜଣଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ୩୮ ଜଣ ପ୍ରମୁଖ ଶିଳ୍ପପତିଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରିଥିଲେ।
ଓଡ଼ିଶାରେ ନୂତନ ଶିଳ୍ପ ସମ୍ଭାବନା ସୃଷ୍ଟି ପାଇଁ ହାଇଦ୍ରାବାଦରେ ଫାର୍ମା ଏବଂ ପ୍ରତିରକ୍ଷା (Defense) କ୍ଷେତ୍ରକୁ ନେଇ ଦୁଇଟି ରାଉଣ୍ଡଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା। ୮ଟି ବଡ଼ ଫାର୍ମା କମ୍ପାନୀ ଏବଂ ୨୭ଟି ପ୍ରତିରକ୍ଷା ଉତ୍ପାଦନ କମ୍ପାନୀ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ରାଜ୍ୟରେ ଏକ ମଜବୁତ୍ ପ୍ରତିରକ୍ଷା ମାନୁଫାକ୍ଚରିଂ ଇକୋ-ସିଷ୍ଟମ ବିକାଶ କରିବା ସହ ମିଜାଇଲ୍ ଯନ୍ତ୍ରାଂଶ ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ‘ଭାରତ ଡାଇନାମିକ୍ସ ଲିମିଟେଡ୍’ (BDL) ପରିଦର୍ଶନ କରିଥିଲେ।
‘ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍’ ବା ବ୍ୟବସାୟିକ ସହଜତାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପୁରୁଣା ଆଇନରେ ୨୩ଟି ସଂଶୋଧନକରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ତିନି ମାସ ପାଇଁ ସରକାରଙ୍କ ମୁଖ୍ୟ ଫୋକସ୍ ହେଉଛି ନିବେଶ ପ୍ରସ୍ତାବଗୁଡ଼ିକର ଶିଳାନ୍ୟାସ କରି ପ୍ରକଳ୍ପକୁ ଗ୍ରାଉଣ୍ଡିଙ୍ଗ କରିବା। ଏହାବ୍ୟତୀତ ଆସନ୍ତା ୨୦୨୬ ଜାନୁଆରୀ ୨୮ ଓ ୨୯ ତାରିଖରେ ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’ ଆୟୋଜନ କରାଯିବ ଏବଂ କଲିକତାରେ ମଧ୍ୟ ଏକ ଶିଳ୍ପ କନ୍କ୍ଲେଭ୍ ହେବାର ଯୋଜନା ରହିଛି।
ଉତ୍କର୍ଷ ଓଡ଼ିଶା ୨୦୨୫ ପଦକ୍ଷେପ ପରଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪,୩୮,୨୨୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି। ଗତ ୧୮ ମାସ ମଧ୍ୟରେ ୨.୧୦ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଛି, ଯାହା ୧.୬୩ ଲକ୍ଷରୁ ଅଧିକ ନିଯୁକ୍ତି ସୁନିଶ୍ଚିତ କରିଛି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଅନ୍ୟାନ୍ୟ କ୍ୟାବିନେଟ୍ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।








