ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଏପରି କିଛି ବିଷୟ ରହିଛି ଯାହାକି ଚର୍ଚ୍ଚାର କାରଣ ସାଜିଛି । ଗୋଟିଏ ପଟେ ନକଲି ଔଷଧର ବିପଦ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଥିବାବେଳେ, ପରିବେଶ ପର୍ଯ୍ୟଟନ ପ୍ରକଳ୍ପରେ ନୂତନ ପଦକ୍ଷେପ ସ୍ଥାୟୀ ବିକାଶର ଆବଶ୍ୟକତାକୁ ଉଜାଗର କରୁଛି । ଏହି ସମୟରେ, ଭୁବନେଶ୍ୱର ରେ ଅନୁଷ୍ଠିତ ସବ୍-ଜୁନିୟର ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଯୁବ ପ୍ରତିଭାଙ୍କୁ ଜାତୀୟ ସ୍ତରରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରୁଛି । ସ୍ୱାସ୍ଥ୍ୟ, ପରିବେଶ ଏବଂ କ୍ରୀଡା – ଏହି ତିନୋଟି ବିଷୟ ଓଡ଼ିଶାର ସଦ୍ୟତମ ବିଶେଷ ଖବରର କେନ୍ଦ୍ରରେ ରହିଛି ।
ନକଲି ଔଷଧର ଆତଙ୍କ: ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ଗତ ୪ବର୍ଷରେ ୧୬୮ଟି ନକଲି ଔଷଧ ଓ ୩୮୮ଟି ନିମ୍ନମାନର ଔଷଧ ଚିହ୍ନଟ କରିଛି । ସରକାର ୨.୫କୋଟିରୁ ଅଧିକ ମୂଲ୍ୟର ଔଷଧ ଜବତ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ବର୍ତ୍ତମାନ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଚିନ୍ତା ବଢ଼ାଇଛି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ କଠୋର ତଦାରଖ ସହିତ ଔଷଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ଉନ୍ନତ କରାଯିବା ଆବଶ୍ୟକ ।
ଇକୋ-ଟ୍ୟୁରିଜମ: ପ୍ରକଳ୍ପ ଓ ସମସ୍ୟା-
କୁଟୀର ପର୍ଯ୍ୟଟନ କ୍ଷତିରେ ଚାଲିଥିବାରୁ ଓଡ଼ିଶାର ଇକୋ-ଟୁରିଜିମ୍ ପ୍ରକଳ୍ପ ପାଇଁ ନୂତନ ଡିପିଆର (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ କରାଯାଇଛି ।
ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପାଇଁ ୯୯କୋଟି ଟଙ୍କାର ଇକୋ-ଟୁରିଜିମ୍ ଯୋଜନା ପ୍ରସ୍ତାବିତ ହୋଇଛି ।
ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ବିଶ୍ୱ ପରିବେଶ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ୭୧.୧୯ କୋଟି ଟଙ୍କାର ଡିପିଆର ଅନୁମୋଦନ କରାଯାଇଛି ।
ସମସ୍ୟା: ୫୧ଟି ବନ ବିଭାଗ ମଧ୍ୟରୁ କେବଳ ୧୦ଟି ପରିବେଶ ପର୍ଯ୍ୟଟନ ସ୍ଥାନ ଲାଭଜନକ, ବାକିଗୁଡ଼ିକ କ୍ଷତିରେ ଚାଲୁଥିବା ସୂଚନା ରହିଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବେ ପରିବେଶ ଅନୁକୂଳ କୁଟୀର, ସୌରଶକ୍ତି ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଧ୍ୟାନ ଦେଉଛି।
ଯୁବ ପ୍ରତିଭାର ପ୍ରଦର୍ଶନ: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଗତ ୧ ତାରିଖରୁ ସବ୍-ଜୁନିୟର ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଆରମ୍ଭ ହୋଇଥିବା ଏହା 6 ତାରିଖ ଯାଏଁ ଚାଲିବ । ଏହା ୩୭ତମ ଚାମ୍ପିୟନସିପ ଅଟେ । ୧୫ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ବର୍ଗରେ ବାଳକ, ବାଳିକା, ଡବଲ୍ସ ପ୍ରତିଯୋଗିତା ଅଟେ । ବିଜେତାଙ୍କ ପାଇଁ ପୁରସ୍କାର ରାଶି ୩୦ ଲକ୍ଷ ରଖାଯାଇଛି । କ୍ରୀଡା ମନ୍ତ୍ରୀଙ୍କ କହିବା ଅନୁସାରେ ଏହି ଚାମ୍ପିଅନସିପ୍ ଓଡ଼ିଶାର ବ୍ୟାଡମିଣ୍ଟନ ପ୍ରତିଭାକୁ ଜାତୀୟ ସ୍ତରରେ ପହଞ୍ଚାଇବ । ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ୍, ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ୍ ଏବଂ କ୍ରୀଡା ଏବଂ ଯୁବ ସେବା ବିଭାଗ ଦ୍ୱାରା ମିଳିତ ଭାବରେ ଆୟୋଜିତ। ଓଡ଼ିଶାର ଉଦୀୟମାନ ଖେଳାଳିମାନେ ଜାତୀୟ ସ୍ତରରେ ଅଭିଜ୍ଞତା ହାସଲ କରିବେ, ଯାହା ଭବିଷ୍ୟତର ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତିରେ ସହାୟକ ହେବ।







