ଝାରସୁଗୁଡା: ଓପିଜିସି ତରଫରୁ ଦଲଗାଁରେ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ, ଶତାଧିକ ଲୋକ ଉପକୃତ, ଇବ ଥର୍ମାଲ: ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି) ତରଫରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଦଲଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଓପିଜିସି ଆନୁକୂଲ୍ୟରେ ଏକ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଅଞ୍ଚଳବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ସହ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାରେ ସହାୟକ ହୋଇଛି।
ଦଲଗାଁ ସରପଞ୍ଚ ଶ୍ରୀ ସନ୍ତୋଷ କୁମାର ରୋହିଦାସ ଏହି ମହତ୍ ଶିବିରକୁ ଉଦ୍ଘାଟନ କରିଥିଲେ। ସକାଳ ୧୦.୩୦ ରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥିବା ଏହି ସ୍ୱାସ୍ଥ୍ୟ ଶିବିରରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଇବ ଥର୍ମାଲ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଂଗୀତା ପଣ୍ଡାଙ୍କ ସମେତ ଡାକ୍ତର ହିତେନ୍ଦ୍ର ରାଉତ ଓ ଡାକ୍ତର ଅଙ୍କିତ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏଥିସହ ସମ୍ବଲପୁରରୁ ଆମନ୍ତ୍ରିତ ହୋଇ ଆସିଥିବା ଶିଶୁରୋଗ ବିଶେଷଜ୍ଞ ଡା ମଦନ ମୋହନ ତ୍ରିପାଠୀ ଏବଂ ଭେଷଜ ବିଶେଷଜ୍ଞ ଡା ଦୀପକ ପାଣିଗ୍ରାହୀଙ୍କ ଭଳି ଜଣାଶୁଣା ଡାକ୍ତରମାନେ ସେମାନଙ୍କର ମୂଲ୍ୟବାନ ସେବା ପ୍ରଦାନ କରିଥିଲେ।
ଏହି ଶିବିରରେ ଦଲଗାଁ, ବାସୁପଲି, ସୋଲପାଲି, ଭୀମଗୁଡି, ଖୁଣ୍ଟପାଲି, ଅଧାଡ଼ିହି, ସେନ୍ହାମାଲ, ସାରଣ୍ଡମାଲ, ଭେଜିକୁଡ଼, ନେଗୀପାଲି, ଖମାରଡ଼ିହି ଏବଂ ଖପଶିମୁଣ୍ଡା ଇତ୍ୟାଦି ଆଖପାଖ ୧୨ରୁ ଅଧିକ ଗ୍ରାମର ମୋଟ ୧୬୯ ଜଣ ରୋଗୀ ସେବା ଗ୍ରହଣ କରିଥିଲେ। ଡାକ୍ତରମାନେ ରୋଗୀମାନଙ୍କୁ ରକ୍ତଚାପ, ମଧୁମେୟ, ରକ୍ତହୀନତା, ଶାରୀରିକ ଦୁର୍ବଳତା, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଶ୍ୱାସନଳି ସଂକ୍ରମଣ, ଚର୍ମରୋଗ, ଚକ୍ଷୁ ସଂକ୍ରମଣ, ଗ୍ୟାଷ୍ଟ୍ରିକ ଏବଂ ପେଟବ୍ୟଥା ଭଳି ବିଭିନ୍ନ ରୋଗର ପରୀକ୍ଷା କରିବା ସହିତ ଉପଯୁକ୍ତ ଔଷଧ ଏବଂ ଗୁରୁତ୍ୱପୂର୍ଣ୍ଣ ଡାକ୍ତରୀ ଉପଦେଶ ପ୍ରଦାନ କରିଥିଲେ। ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା।
ଓପିଜିସିର ସିଏସଆର ବିଭାଗ ଏବଂ ଇବ ଥର୍ମାଲ ଚିକିତ୍ସାଳୟର ମିଳିତ ଉଦ୍ୟମରେ ଏହି ସ୍ୱାସ୍ଥ୍ୟ ଶିବିର ପରିଚାଳିତ ହୋଇଥିଲା। ସିଏସଆର ବିଭାଗର ତାପସ ପଣ୍ଡା ଶିବିରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ତଦାରଖ କରିଥିଲେ। ଇବ ଥର୍ମାଲ ଚିକିତ୍ସାଳୟର ସ୍ୱାସ୍ଥ୍ୟକର୍ମୀ ପ୍ରଭାତ ବାରିକ, ସୁଜାତା ନାୟକ, ସୁନିତା ଏକ୍କା, ସନ୍ଧ୍ୟାରାଣୀ କିସାନ, ଅଗ୍ନିବେଶ ସିଂ, ଅଭିମନ୍ୟୁ ଭୋଇ, ଦିଲ୍ଲୀପ ଦୀପ, ଦୂବରାଜ ମିର୍ଦ୍ଧା ଏବଂ କର୍ଣ ବାଗ ପ୍ରମୁଖ ସ୍ୱାସ୍ଥ୍ୟ ଶିବିରର ସୁପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଓପିଜିସିର ଏଭଳି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଛନ୍ତି। ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ ଦ୍ୱାରା ଅନେକ ଗରିବ ଓ ଅସହାୟ ରୋଗୀ ଉପକୃତ ହୋଇପାରିଛନ୍ତି।








