ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନରେ ଧାନ କିଣା ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଛି।
ଚାଷୀଙ୍କ ସହ ପ୍ରତାରଣା କରୁଛନ୍ତି ସରକାର: ରାମଚନ୍ଦ୍ର କଦମ
ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଦମ କହିଛନ୍ତି ଯେ, ଏହା ଏକ ସମ୍ପୂର୍ଣ୍ଣ ଚାଷୀ ବିରୋଧୀ ସରକାର ଏବଂ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ବା ଧାନ କିଣାରେ ସଂସ୍କାର ନଆସିବା ପର୍ଯ୍ୟନ୍ତ ଆମେ ଗୃହ ଚାଲିବାକୁ ଦେବୁ ନାହିଁ। ସରକାର ଗୋଟିଏ ମୂଲ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ଅନ୍ୟ ଏକ ମୂଲ୍ୟରେ ଧାନ ବିକିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।
୮୦୦ ଟଙ୍କା କହି ୭୩୧ ଟଙ୍କା ଦେଉଛନ୍ତି: ପ୍ରସନ୍ନ ଆଚାର୍ଯ୍ୟ
ଏହି ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କୁ ଘେରି କହିଛନ୍ତି ଯେ, ସରକାର ପ୍ରତି କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସବସିଡି ଦେବାକୁ ଘୋଷଣା କରିଥିଲେ ସୁଦ୍ଧା ଚାଷୀଙ୍କୁ ମାତ୍ର ୭୩୧ ଟଙ୍କା ମିଳୁଛି। ମଣ୍ଡିଗୁଡ଼ିକରେ ୧୫୦ କ୍ୱିଣ୍ଟାଲର କ୍ୟାପ୍ ବା ସୀମା ରଖାଯାଇଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ସରକାରଙ୍କ ଏହି ମିସମ୍ୟାନେଜମେଣ୍ଟ ଯୋଗୁଁ ଚାଷୀ କୁଳ ଦୁର୍ଦ୍ଦଶା ଭୋଗୁଥିବା ବେଳେ ପ୍ରଶାସନ ସବୁ ଦେଖି ଚୁପ୍ ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।
ଅନ୍ୟପଟେ ବିରୋଧୀଙ୍କ ଏହି ପ୍ରତିବାଦକୁ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କୁ ଭଲ ପାଇବାର ଡ୍ରାମା ନ କରନ୍ତୁ, ବିରୋଧୀମାନେ ପ୍ରକୃତରେ ଜଣେ ଜଣେ ପଳାୟନପନ୍ଥୀ। ବିରୋଧୀ ଦଳର ଉଦ୍ଦେଶ୍ୟ ଚାଷୀ ସମସ୍ୟାର ସମାଧାନ ନୁହେଁ, ବରଂ ଗୃହରେ ଅଚଳାବସ୍ଥା ସୃଷ୍ଟି କରିବା। କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ପରେ ବି ବିରୋଧୀମାନେ ଜାଣିଶୁଣି ପ୍ରଶ୍ନକାଳକୁ ବନ୍ଦ କରିଛନ୍ତି। ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ସ୍ୱାର୍ଥ ସମ୍ବଳିତ ଯେକୌଣସି ଆଲୋଚନା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ, କିନ୍ତୁ ବିରୋଧୀଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ। ଓଡ଼ିଶାବାସୀ ଏହାର ଜବାବ ନୂଆପଡ଼ାରେ ଦେଇସାରିଛନ୍ତି ଏବଂ ଆଗକୁ ମଧ୍ୟ ଉଚିତ୍ ଜବାବ ଦେବେ।
ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସମାନ ସ୍ୱରରେ କହିଛନ୍ତି ଯେ, ସରକାର ପ୍ରତିଟି ସମସ୍ୟା ଉପରେ ଆଲୋଚନା କରିବାକୁ ଚାହୁଁଥିବା ବେଳେ ବିରୋଧୀମାନେ ଏକ ସୁସଂଗଠିତ ଆଲୋଚନାରୁ ଦୂରେଇ ରହୁଛନ୍ତି। ବାରମ୍ବାର ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ରଖିବାକୁ ବାଧ୍ୟ ହୋଇଛନ୍ତି।







