ଶ୍ରୀକ୍ଷେତ୍ର ପୁରୀର ସିଂହଦ୍ୱାର ସମ୍ମୁଖରେ ଆଜି ପୁଣି ଥରେ ଦେଖିବାକୁ ମିଳିଛି ଏକ ଭାବପ୍ରବଣ ଦୃଶ୍ୟ। ଅସୁସ୍ଥ ପୁଅର ସୁସ୍ଥତା କାମନା କରି ଜଣେ ବାପା ଓ ମାଆ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କରୁଣ ଗୁହାରି ଜଣାଇଛନ୍ତି । ବଡ଼ି ଭୋରୁ ସିଂହଦ୍ୱାର ଫିଟିବା ପରେ ଏହି ଦମ୍ପତି ତାଙ୍କ ଶିଶୁପୁତ୍ରକୁ ନେଇ ଆସିଥିଲେ ।
ମହିଳା ଜଣକ ପୁଅକୁ ସିଂହଦ୍ୱାର ସମ୍ମୁଖରେ ଶୁଆଇ ପଣତ କାନି ପତାଇ ଲୁହ ଗଡ଼ାଇ ‘ଆହେ ଜଗନ୍ନାଥ… ହେ କାଳିଆ ସାଆନ୍ତ’ ବୋଲି ଡାକିଥିଲେ। ସେ ଦଣ୍ଡ ପ୍ରଣାମ ମଧ୍ୟ କରୁଥିଲେ । ଚିକିତ୍ସା ବିଜ୍ଞାନ ଯେଉଁଠି ହାର ମାନେ, ସେଠାରେ ଈଶ୍ୱରଙ୍କ ଉପରେ ମନୁଷ୍ୟର ଅତୁଟ ବିଶ୍ୱାସର ଏହା ପ୍ରମାଣ । ଏହି ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା ।
ପୂର୍ବରୁ, ପ୍ରକାଶ ନାମକ ଜଣେ ବାପା ତାଙ୍କ କୋମାରେ ଥିବା ପୁଅ ‘ନିଖିଳ’କୁ ମନ୍ଦିର ଆଣିଥିଲେ ଏବଂ ମହାପ୍ରଭୁଙ୍କ କୃପାରୁ ଶିଶୁଟି ହାତଗୋଡ଼ ହଲାଇ ଆଖି ଖୋଲିଥିଲା । ଏହି ଚମତ୍କାର ଦେଖି ପ୍ରକାଶ ପୁଣି ଥରେ ପୁଅକୁ ମହାପ୍ରଭୁଙ୍କ ପାଖକୁ ଆଣିଥିଲେ।
ବର୍ତ୍ତମାନର ଏହି ଅସୁସ୍ଥ ଶିଶୁଟିର ରୋଗ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ, ଏହି ବିଶ୍ୱାସୀ ବାପା-ମାଆ ଦୃଢ଼ ଆଶା ରଖିଛନ୍ତି ଯେ ଭାବର ଠାକୁର ନିଶ୍ଚିତ ଭାବେ ତାଙ୍କ ପୁଅକୁ ସୁସ୍ଥ କରିଦେବେ। ଭକ୍ତ ଓ ଭଗବାନଙ୍କର ଏହି ନିବିଡ଼ ସମ୍ପର୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।








