ଆସନ୍ତାକାଲି (ଡିସେମ୍ବର ୧) ଠାରୁ ସଂସଦର ଅତି ଗୁରୁତ୍ୱପୂର୍ଣ୍ଣ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସମ୍ମତି ପରେ ନଭେମ୍ବର ୩୦ରୁ ଏହି ଅଧିବେଶନ ଆରମ୍ଭ ହେବାର ଥିଲା, ଯାହାକି ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବଧି ମଧ୍ୟରେ ମୋଟ ୧୫ଟି ସିଟିଂ ବସିବ । ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଜନ କଲ୍ୟାଣକାରୀ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ଅଧିବେଶନ ଆରମ୍ଭ ହେବା ପୂର୍ବରୁ, ଗୃହର କାର୍ଯ୍ୟଧାରାକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ସରକାର ଅଧିବେଶନକୁ ସଫଳ କରିବା ପାଇଁ ସମସ୍ତ ବିରୋଧୀ ଦଳର ସହଯୋଗ କାମନା କରିଛନ୍ତି । ଏହି ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳ ନିଜ ନିଜର ଆଭିମୁଖ୍ୟ ଓ ଆଲୋଚନା ପାଇଁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପସ୍ଥାପନ କରିବେ ।
ଚଳିତ ଶୀତକାଳୀନ ଅଧିବେଶନ ବହୁ ଦୃଷ୍ଟିରୁ ଗୁରୁତ୍ୱ ବହନ କରେ । ଏଥିରେ କେତେକ ନୂତନ ବିଲ୍ ଆଗତ ହେବାର ସୂଚନା ରହିଛି । ଏହାଛଡ଼ା, ଗତ ଅଧିବେଶନ କାଳରେ ବିରୋଧୀ ଦଳଗୁଡ଼ିକର ପ୍ରବଳ ବିରୋଧ ଯୋଗୁଁ ସଂସଦର ଉଭୟ ଗୃହରେ ଗୃହୀତ ହୋଇ ପାରି ନଥିବା କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ପୁଣିଥରେ ଆଗତ ହେବ । ଅଧିବେଶନ ସମୟରେ ଡିସେମ୍ବର ୫ ଏବଂ ଡିସେମ୍ବର ୧୯ ତାରିଖରେ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ (Private Members’ Bills) ଗୁଡିକ ଆଗତ ହେବ ବୋଲି ସ୍ଥିର କରାଯାଇଛି ।
ଅନ୍ୟପଟେ, କମ୍ ଦିନ ପାଇଁ ଅଧିବେଶନ ହେଉଥିବା ଯୋଗୁଁ ବିରୋଧୀ ଦଳମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି । ତେବେ ଗୃହ ଭିତରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳଗୁଡ଼ିକ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛନ୍ତି । ଦେଶର ଅର୍ଥନୈତିକ ସ୍ଥିତି, ନିଯୁକ୍ତି ଏବଂ ଅନ୍ୟାନ୍ୟ ଜାତୀୟ ପ୍ରସଙ୍ଗରେ ଗୃହରେ ବଳିଷ୍ଠ ଆଲୋଚନା ହେବାର ଆଶା କରାଯାଉଛି ।








