ସମ୍ବଲପୁର: ସମ୍ବଲପୁରର ଭତରା ହସ୍ପିଟାଲ୍ ରୋଡ୍ ନିକଟସ୍ଥ ଏକ ଧାନ ଖଳାରେ ବସ୍ତା ବସ୍ତା ଧାନ ପାଣିରେ ଭିଜି ନଷ୍ଟ ହୋଇଯାଇଛି । ପିଏଚ୍ଡି (PHD) ପାଇପ୍ ଫାଟିଯିବା କାରଣରୁ ପ୍ରାୟ ୭୦୦ ବସ୍ତା ଧାନ ଏହି ପାଣିରେ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସମ୍ବଲପୁରର ଭତରା ହସ୍ପିଟାଲ ରୋଡ୍ ନିକଟ ଖଳାରେ ଘଟିଛି, ଯାହାର ମାଲିକ ହେଉଛନ୍ତି ଚାଷୀ କୁବେର ଭୁକ୍ତା ।
ଗତକାଲି ରାତି ପ୍ରାୟ ୧୦ଟା ସମୟରେ ପିଏଚ୍ଡି ପାଇପ୍ ହଠାତ୍ ଫାଟିଯିବାରୁ ପ୍ରବଳ ମାତ୍ରାରେ ପାଣି ଲିକ୍ ହୋଇ ଖଳା ମଧ୍ୟକୁ ମାଡ଼ି ଯାଇଥିଲା । ଫଳରେ, ସେଠାରେ ଗଚ୍ଛିତ ଥିବା ପ୍ରାୟ ୭୦୦ ବସ୍ତା ଧାନ ସମ୍ପୂର୍ଣ୍ଣ ଭାବେ ଓଦା ହୋଇ ନଷ୍ଟ ହୋଇଯାଇଛି । ଚାଷୀଙ୍କ ଅନୁଯାୟୀ, ଏହି କ୍ଷୟକ୍ଷତିର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ।
ଏତେ ପରିମାଣର ଧାନ ନଷ୍ଟ ହେବା ପରେ ଏବେ କ୍ଷତିଗ୍ରସ୍ତ ଚାଷୀ କୁବେର ଭୁକ୍ତା ଗଭୀର ଚିନ୍ତାରେ ପଡ଼ିଯାଇଛନ୍ତି । ପାଣିରେ ଭିଜି ନଷ୍ଟ ହୋଇଯାଇଥିବା ଏହି ଧାନକୁ ଆଉ ବିକ୍ରି କରି ହେବନାହିଁ । ଏଭଳି ଘଟଣା ପାଇଁ ପିଏଚ୍ଡି ଅଧୀନରେ ଥିବା ଶିବଶକ୍ତି ଠିକା ସଂସ୍ଥାର ଭୁଲ୍କୁ ସେ ଦାୟୀ କରିଛନ୍ତି ଏବଂ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ।








