ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା । ଆଜି ପ୍ରଧାନମନ୍ତ୍ରୀ ବିଧି ଅନୁସାରେ ରାମ ମନ୍ଦିର ଚୂଳାରେ ଧ୍ୱଜାରହଣଲକରିଛନ୍ତି । ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ରାମନାମରେ ପ୍ରକମ୍ପିତ ହୋଇଛି ରାମ ମନ୍ଦିର । ଧ୍ୱଜାରୋହଣ ସହ ପୂର୍ଣ୍ଣାଙ୍ଗ ହୋଇଛି ରାମ ମନ୍ଦିର ।
ଧ୍ୱଜାରୋହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଧର୍ମଧ୍ୱଜା ଭାରତୀୟ ସଭ୍ୟତାର ପୁନଃଜାଗରଣର ପ୍ରତୀକ । ପୂର୍ବରୁ ଆମେ ନଥିବା ବେଳେ ଏ ଦେଶ ଥିଲା । ତେଣୁ ଆମକୁ ଦେଶ ପାଇଁ ଏବଂ ଭବିଷ୍ୟତ ପିଢି ପାଇଁ କାମ କରିବାକୁ ପଡିବ । ଭାରତ ହେଉଛି ଲୋକତନ୍ତ୍ରର ପ୍ରତୀକ, ଆଉ ଏହି ପ୍ରତୀକ ଆମ ଡିଏନଏରେ ଅଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଧର୍ମଧ୍ୱଜା ହେଉଛି ପ୍ରତିଶୃତି ପାଳନର ପ୍ରତୀକ । ବିଗତ 11 ବର୍ଷରେ ସବୁ ବର୍ଗଙ୍କୁ ବିକାଶରେ ଯୋଡ଼ା ଯାଇଛି ।
ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବୀରତ୍ୱର ପ୍ରତିକ ହେଉଛି ଏହି ଧର୍ମଧ୍ୱଜା । 11 ଫୁଟ ଚଉଡା ଓ 22 ଫୁଟ ଲମ୍ବ ବିଶିଷ୍ଟ ଏହି ଧ୍ୱଜାରରେ ରହିଛି ଉଜ୍ୱ୍ୱଳ ସୂର୍ଯ୍ୟଙ୍କ ପ୍ରତିଛବି । ଏହି ପ୍ରତିଛବିରେ ଲଖାଯାଇଛି ଓଁ, ଯେଉଁ ଧ୍ୱନିରୁ ବ୍ରହ୍ମାଣ୍ଡର ସୃଷ୍ଟି । ଗେରୁଆ ରଙ୍ଗର ଏହି ଧ୍ୱଜା ପ୍ରସ୍ତୁତ ପାଇଁ 25 ଦିନର ସମୟ ଲାଗିଥିଲା ।
ଏହି ପବିତ୍ର ତଥା ଧାର୍ମିକ କାର୍ଯ୍ୟକ୍ରମରେ ପ୍ରାୟ 6 ହଜାରରୁ 8 ହଜାର ଅତିଥି ଯୋଗଦେଇଥିଲେ । ଧ୍ୱଜାରୋହଣ କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଅତିଥି ଭାବେ ଶବରୀ ମାତା ଓ ନିଷାଦଜିଙ୍କ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିଲା । ଅଯୋଧ୍ୟାକୁ ସୁସଜ୍ଜିତ କରିବା ପାଇଁ ପ୍ରାୟ ଶହେ ଟନ୍ ଫୁଲ ବ୍ୟବହାର କରାଯାଇଥିଲା ।
ପ୍ରକାଶ ଥାଉ କି, 2024 ଜାନୁଆରୀ 22ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଦେଢ ବର୍ଷ ପରେ ଆଜି ମନ୍ଦିରର ଧ୍ୱଜାରୋହଣ କରାଯାଇଛି ।








