ପୋଲିସ୍ SI ପରୀକ୍ଷା ସ୍କାମ୍: ରିମାଣ୍ଡରେ ଅଭିଯୁକ୍ତ, ଆନ୍ତଃରାଜ୍ୟ ଲିଙ୍କ୍ ଉପରେ CBIର ତୀକ୍ଷ୍ଣ ନଜର

ପୋଲିସ୍ SI ପରୀକ୍ଷା ସ୍କାମ୍: ରିମାଣ୍ଡରେ ଅଭିଯୁକ୍ତ, ଆନ୍ତଃରାଜ୍ୟ ଲିଙ୍କ୍ ଉପରେ CBIର ତୀକ୍ଷ୍ଣ ନଜର

ଭୁବନେଶ୍ୱର: ବହୁଚର୍ଚ୍ଚିତ ପୋଲିସ୍ ସବ୍-ଇନ୍ସପେକ୍ଟର (SI) ପରୀକ୍ଷା ସ୍କାମ ମାମଲାରେ ଆଜିଠାରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) । ଏହି ମାମଲାରେ ଗିରଫ ହୋଇଥିବା ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି. ଅଭିମନ୍ୟୁ ଦୋରା ଏବଂ ପ୍ରିୟଦର୍ଶିନୀ ସାମଲଙ୍କୁ CBI ମୁହାଁମୁହିଁ ଜେରା କରିବ । ଏହି ଜେରା ସମୟରେ ସ୍କାମର ପଛରେ ଥିବା ସମସ୍ତ ଗୁପ୍ତ ତଥ୍ୟ, ଆଉ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ଏବଂ ଏଥିରେ କେତେଜଣ ବଡ଼ବଡ଼ିଆଙ୍କର ହାତ ଅଛି ତାହା ଜଣାପଡ଼ିବାର ସମ୍ଭାବନା ରହିଛି ।

ସେପଟେ, ଏହି ମାମଲାରେ ଆନ୍ତଃରାଜ୍ୟ ଲିଙ୍କ୍ ସାମ୍ନାକୁ ଆସିଛି । ବିହାରରୁ ଗିରଫ ହୋଇଥିବା ଅଭିଯୁକ୍ତ ନୀତୀଶ କୁମାରଙ୍କୁ ଗତକାଲି ଭୁବନେଶ୍ୱର କୋର୍ଟରେ ହାଜର କରାଯିବା ପରେ CBI ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଦଲାଲ ମୁନା ମହାନ୍ତିଙ୍କ ସିଣ୍ଡିକେଟର ଚେର ବିହାର ପର୍ଯ୍ୟନ୍ତ ଲମ୍ବିଥିବାର ପ୍ରମାଣ ମିଳିଛି । ଫଳରେ, CBIର ଏକ ଟେକ୍ନିକାଲ୍ ଟିମ୍ ବିହାର ଯାଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ।

ଏହି ସ୍କାମରେ ସ୍ପେଶାଲ୍ ସିକ୍ୟୁରିଟି ବାଟାଲିୟନ (SSB) ଯବାନଙ୍କର ସଂପୃକ୍ତି ସିବିଆଇର ତଦନ୍ତକୁ ଅଧିକ ଜଟିଳ କରିଛି । ପୂର୍ବରୁ ଗିରଫ ହୋଇଥିବା SSB ଯବାନ ବିଶ୍ୱରଞ୍ଜନ ବେହେରାଙ୍କ ପରେ ଏବେ ଅନ୍ୟ ଜଣେ SSB ଯବାନ ଅର୍ଜୁନ ନାୟକଙ୍କୁ ଗିରଫ କରିଛି CBI । ତଥ୍ୟ ଅନୁଯାୟୀ, ଅର୍ଜୁନ ଓ ବିଶ୍ୱରଞ୍ଜନ ଉଭୟେ ପୂର୍ବରୁ ନବୀନ ନିବାସ (ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ) ରେ ଡ୍ୟୁଟି କରୁଥିଲେ ।

ଦୁଇ ଦିନର ଜେରା ପରେ CBI ଅର୍ଜୁନ ନାୟକଙ୍କ ସହ ନିମାଇଁ ଚରଣ ସାହୁଙ୍କୁ ଗିରଫ କରିଥିଲା । ଏହି ଦୁଇଜଣ ପୂର୍ବରୁ ଗିରଫ ହୋଇଥିବା ବିରଞ୍ଚି କୁମାର ନାୟକଙ୍କ ସହଯୋଗୀ ଥିଲେ ।

ଅର୍ଜୁନଙ୍କ ଗିରଫଦାରୀ ପରେ ପୁଣିଥରେ ‘ପାୱାର କରିଡର’ରେ ରହି କେମିତି ସ୍କାମ ଚାଲିଥିଲା, ତାହା ସାମ୍ନାକୁ ଆସିଛି । SSB ଯବାନ ଭାବେ ନବୀନ ନିବାସରେ ଡ୍ୟୁଟି କରି ସେ ଆଶାୟୀ ପରୀକ୍ଷାର୍ଥୀଙ୍କୁ ବଡ଼ ଭରସା ଦେଉଥିଲେ ।ଶଙ୍କର ପୃଷ୍ଟି ସିଣ୍ଡିକେଟ୍ ଏହି ପୋଲିସ୍ କର୍ମଚାରୀମାନଙ୍କୁ ଦେଖାଇ ଚାକିରି ବିକ୍ରି କରୁଥିବାର ସୁରାକ CBI ପାଇଛି । ଏମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଡ୍ୟୁଟି କରୁଥିବାରୁ ଆଶାୟୀମାନଙ୍କୁ ପ୍ରଲୋଭନ ଦେଖାଇବାରେ ସହଜ ହେଉଥିଲା ।

ଅନ୍ୟପକ୍ଷରେ, CBI କାର୍ଯ୍ୟାଳୟରେ ବିରଞ୍ଚିଙ୍କ ସହ ଏକାଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମୁହାଁମୁହିଁ ଜେରା କରାଯାଇଛି । CBI ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପୋଲିସ୍ SI ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫଦାରୀ ସଂଖ୍ୟା ଶହେ ଟପିଯିବାର ସମ୍ଭାବନା ରହିଛି । ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ଏହି ମାମଲାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ୧୨ ଜଣ ଦଲାଲଙ୍କୁ ଗିରଫ କରିଥିଲା । ବର୍ତ୍ତମାନ CBIର ଜେରା ପରେ ଏହି ସ୍କାମର ସମସ୍ତ ଗୁମର ଖୋଲିବ ବୋଲି ଆଶା କରାଯାଉଛି ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories