ଭଦ୍ରକ: ରୋଚକ ହେଉଛି ଭଦ୍ରକ ରାଜନୀତି । ଘଡ଼ିକେ ଘୋଡ଼ା ଛୁଟିଲା ଭଳି ସବୁଦିନ ରାଜ୍ୟ ରାଜନୀତିରେ ଦୃଶ୍ୟମାନ ହେଉଛି ନୂଆ ସମୀକରଣ । ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ପରେ ଏବେ ରାଜ୍ୟବ୍ୟାପୀ ରାଜନୀତିର ନୂଆ ଅଙ୍କ । କେଉଁଠି ନା କେଉଁଠି ଚାଲିଛି ଦଳ ଡିଆଁ ଓ ମିଶ୍ରଣ ପର୍ବ । ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲାସ୍ତରର ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି । କ୍ଷମତା ଗଲା ପରେ ଏବେ ବିଜେଡିରୁ ଅଧିକାଂଶ ତୃଣମୂଳସ୍ତରର ନେତା ଓ କର୍ମୀ ଦଳ ଛାଡି ବିଜେପିରେ ସାମିଲ ହେଉଥିବା ଦେଖାଯାଇଛି । ଶନିବାର ତାଳଚେର ନଗରପାଳ ଓ ୧୩ କାଉନସିଲ ବିଜେପିରେ ସାମିଲ ହେବା ଘଟଣା ରାଜ୍ୟ ରାଜନୀତିରେ ଆଲୋଚନାର ବିଷୟ ପାଲିଟିଛି, ଏମାନେ ସବୁ ବିଜେଡି ବ୍ୟାନରରେ ଜିତିଥିଲେ ଆଉ ଏବେ ଦଳ ଛାଡ଼ିବା ଘଟଣାକୁ ସହଜରେ ହଜମ କରିପାରୁନାହାନ୍ତି ଲୋକେ ।
ଅନୁଗୁଳ ପରେ ଏବେ ଭଦ୍ରକ ଜିଲ୍ଲା ରାଜନୀତି ବି ଚର୍ଚ୍ଚାରେ, ଏହାର କାରଣ ଅପ୍ରତ୍ୟାଶିତ ଭାବେ ବନ୍ତ ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ । ଏକ ସାଦାକାଗଜରେ ସେ ତାଙ୍କ ଇସ୍ତଫା ପତ୍ର ବିଜେଡିର ଜିଲ୍ଲା ସଭାପତିଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ ବ୍ୟକ୍ତିଗତ କାରଣ ପାଇଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ଏହାକୁ ଗ୍ରହଣ କରାଯିବା ଏକାନ୍ତ ଆବଶ୍ୟକ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗତ ଦଶନ୍ଧି ଧରି ବନ୍ତ ବ୍ଲକ ବିଜେଡି ନିଜ ଅକ୍ତିଆରରେ ରଖିଥିବାବେଳେ ହଠାତ ଶ୍ରୀ ଘଡେଇଙ୍କ ଇସ୍ତଫାକୁ ନେଇ ଜିଲ୍ଲା ଓ ରାଜ୍ୟ ରାଜନୀତିରେ ଆଲୋଚନାର ବିଷୟ ପାଲଟିଛି । ତେବେ ମନୋରଞ୍ଜନଙ୍କ ଇସ୍ତଫାକୁ ନେଇ ଯେତିକି ଚର୍ଚା ତାଠୁ ବେଶୀ ଚର୍ଚା ବିଜେଡିର ନିଲମ୍ବନ ପତ୍ର । ଶ୍ରୀଘଡେଇ ସାଦା କାଗଜରେ ଦେଇଥିବା ଇସ୍ତଫାପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାର କିଛି ସମୟ ମଧ୍ୟରେ ବିଜେଡି ଲେଟରପ୍ୟାଡରେ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼ାଇଙ୍କୁ ନିଲମ୍ବନ କରାଯାଇଛି ବୋଲି ଦର୍ଶାଯାଇଛି ।
ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଉଲ୍ଲେଖ ଅଛି । ତେବେ ଚିଠିକୁ ନେଇ ଏବେ ଚାରିଆଡେ ଚର୍ଚା, ବାସ୍ତବିକ ପକ୍ଷେ ଯେଉଁ ଚିଠି ସୋସିଆଲ ମିଡିଆରେ ମନୋରଞ୍ଜନ ଘ଼ଡ଼ାଇଙ୍କ ନାଁରେ ବୁଲୁଛୁ ତାହା ପ୍ରକୃତରେ ଶ୍ରୀ ଘଡ଼ାଇଙ୍କର ନାଁ ଆଉ କାହାର । ଏହାପରେ ଦଳ ପକ୍ଷରୁ ଦିଆଯାଇଥିବା ନିଲମ୍ବନ ପତ୍ର ଏବେ ଚର୍ଚ୍ଚାର ବିଷୟ । ସୂଚନା ଥାଉକି ବନ୍ତ ବ୍ଲକ ଅଧକ୍ଷଙ୍କ ବିରୁଦ୍ଧରେ କୋଟି କୋଟି ଟଙ୍କାର ଦୁର୍ନୀତି ନେଇ ଅଭିଯୋଗ ଆସିଥିଲା । ନିଜ ପଦବୀର ଅପବ୍ୟବହାର କରି ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କୁ ବହିଷ୍କାର ସହ ତଦନ୍ତ ନେଇ ଦାବି ଉଠିଥିଲା । ଏପ୍ରସଙ୍ଗରେ ବିଜେଡି ପକ୍ଷରୁ ଅଭିଯୋଗ ହେବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି ।







