ରାଜ୍ୟରେ ପ୍ରଦୂଷଣ ସ୍ଥିତି ଉଦବେଗଜନକ, ୧୬ଟି ସ୍ଥାନର ନଦୀଜଳ ଗୋଳିଆ

ପ୍ରଦୂଷଣ ସମଗ୍ର ପୃଥିବୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି କାରଣରୁ ପୃଥିବୀ ଦିନକୁ ଦିନ ଉତ୍ତପ୍ତ ହେବାରେ ଲାଗିଛି । ପ୍ରଦୂଷଣର ମାତ୍ରା ଏପରି ବୃଦ୍ଧି ପାଇଛି ଯେ ଏହା କେବଳ ବାୟୁରେ ନୁହେଁ, ବରଂ ମାଟି, ପାଣି, ପରିବେଶ ସବୁଠି ଛାଇ ହୋଇଯାଇଛି । ଏହିପରିପ୍ରେକ୍ଷୀରେ ରାଜ୍ୟ ବିଧାନସଭାରେ ଚାଲିଥିବା ଶୀତ ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟ ଆହୁରି ଚିନ୍ତା ବଢାଇଛି । କାରଣ ସାଧାରଣ ଲୋକେ ବ୍ୟବହାର କରୁଥିବା କିଛି ସ୍ଥାନର ନଦୀପାଣି ଦୂଷିତ ହୋଇଯାଇଛି ।

ବିଧାନସଭାରେ ବିଧାୟିକା ଉପାସନା ମହାପାତ୍ର ଜଳ ପ୍ରଦୂଷଣ ଏବଂ ଲୋକେ ଦୂଷିତ ପାଣି ପିଉଥିବା ନେଇ ଉଦବେଗ୍ ପ୍ରକାଶ କରିଥିଲେ । ଏଥିସହ ବିଭାଗୀୟ ମନ୍ତ୍ରୀଙ୍କୁ ରାାଜ୍ୟରେ ଜଳ ପ୍ରଦୂଷଣ ରୋକିବା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି, ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସାଧାରଣ ଲୋକେ  ପ୍ରଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ସରକାରଙ୍କ ନଜରକୁ ଆସିଛି କି, ଯଦି ଆସିଛି, ତେବେ ସରକାର କି ପଦକ୍ଷେପ ନେବେ ଏବଂ ଉତ୍ତମ ପାନୀୟଜଳ ଯୋଗାଣ ପାଇଁ ପ୍ରତ୍ୟେକ ବ୍ଲକରେ ଜଳର ମାନ ପରୀକ୍ଷା ପାଇଁ କି ବ୍ୟବସ୍ଥା କରିବେ ଏନେଇ ଗୃହକୁ ଜଣାଇବେ କି ବୋଲି କହିଥିଲେ ।

ଜବାବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଛନ୍ତି ଯେ ରାଜ୍ୟରେ ଥିବା ୧୧ଟି ନଦୀ ସମୂହର ୧୨୯ଟି ସ୍ଥାନରେ ଜଳର ଗୁଣାତ୍ମକ ମାନକୁ ପ୍ରତି ମାସ ପରୀକ୍ଷା କରାଯାଉଛି । ୨୦୨୪ରେ ହୋଇଥିବା ପରୀକ୍ଷଣ ଅନୁସାରେ ୧୨୯ଟି ସ୍ଥାନ ମଧ୍ୟରୁ ୧୧3ଟି ସ୍ଥାନର ନଦୀ ଜଳ ‘ଗ’ ଶ୍ରେଣୀରେ ରହିଛି । କିନ୍ତୁ ସମୟ ସମୟରେ ୧୬ଟି ସ୍ଥାନର ମାନ ଉଦ୍ଦିଷ୍ଟ ମାନ ମଧ୍ୟରେ ରହୁନାହିଁ । ଅର୍ଥାତ୍ ଏସବୁ ସ୍ଥାନର ନଦୀଜଳ ପ୍ରଦୂଷିତ ହୋଇ ରହୁଛି ।

ପ୍ରଦୂଷିତ ହୋଇଥିବା ୧୬ଟି ସ୍ଥାନର ନଦୀଜଳ ମଧ୍ୟରେ କଟକର କାଠଯୋଡ଼ି, ଭୁବନେଶ୍ବରର ଦୟାନଦୀ ଓ ଗଙ୍ଗୁଆ ନାଳ, ଭିଙ୍ଗାରପୁର ଓ ଗୋପର କୁଶଭଦ୍ରା, ରାଉରକେଲାର ବ୍ରାହ୍ମଣୀ ନଦୀ ଓ ଗୁରାଡ଼ି ନାଳ ଅବବାହିକାରେ ଅବସ୍ଥିତ । ସହରାଞ୍ଚଳ ବର୍ଜ୍ୟଜଳ ନିଷ୍କାସନ କାରଣରୁ ନଦୀଜଳ ଦୂଷିତ ହେଉଥିବା ମନ୍ତ୍ରୀ କହିଛନ୍ତି ।

ଏହାକୁ ରୋକିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ସହରଞ୍ଚାଳ ଅଧିକାରୀମାନଙ୍କୁ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ନଦୀ ପ୍ରଭାବ ବୃଦ୍ଧି, ଶୌଚାଳୟ, ବାହ୍ୟ ମଳମୂତ୍ର ତ୍ୟାଗ ରୋକିବା ଦିଗରେ ଗୁରୁତ୍ୱ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories