ନୂଆଁଦିଲ୍ଲୀ: ରାଜଧାନୀ ଦିଲ୍ଲୀ ପୁଣି ଥରେ ଗୁରୁତର ବାୟୁ ପ୍ରଦୂଷଣ କବଳରେ ପଡ଼ି ଘାଇଲା ହୋଇଯାଇଛି । ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ବିପଜ୍ଜନକ ସ୍ତରରେ ପହଞ୍ଚିବା ପରେ ଏବେ ଦିଲ୍ଲୀ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଦିଲ୍ଲୀର ସମସ୍ତ ଅଫିସଗୁଡ଼ିକ କେବଳ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ ଏବଂ ଅବଶିଷ୍ଟ କର୍ମଚାରୀମାନେ ଘରୁ କାମ (Work From Home) କରିବାକୁ ବାଧ୍ୟତାମୂଳକ ନିର୍ଦ୍ଦେଶ ଜାରି କରାଯାଇଛି ।
ବିଷାକ୍ତ ବାୟୁରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ଏବଂ ଗାଡ଼ି ମୋଟରରୁ ନିର୍ଗତ ଧୂଆଁ କମାଇବା ଲକ୍ଷ୍ୟରେ ଦିଲ୍ଲୀରେ ଏବେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (GRAP)- ୩ ଲାଗୁ ହୋଇଛି। ପୂର୍ବରୁ ଏହି କଟକଣା (୫୦% କର୍ମଚାରୀ ନୀତି) କେବଳ GRAP-୪ ସ୍ତରରେ ଲାଗୁ ହେଉଥିବା ବେଳେ, ନିକଟରେ ‘କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ’ (CAQM) ଦ୍ୱାରା ନିୟମରେ ପରିବର୍ତ୍ତନ କରାଯାଇ ଏହାକୁ ବର୍ତ୍ତମାନ ଷ୍ଟେଜ୍-୩ରେ ହିଁ ଲାଗୁ କରାଯାଇଛି । ଏହି ନିର୍ଦ୍ଦେଶନାମା ପରିବେଶ ସୁରକ୍ଷା ଅଧିନିୟମ, ୧୯୮୬ ଅଧୀନରେ ପରିବେଶ ଓ ଜଙ୍ଗଲ ବିଭାଗ ଦ୍ୱାରା ଜାରି କରାଯାଇଛି।
ନଭେମ୍ବର ୨୨ ତାରିଖରେ ଦିଲ୍ଲୀର ହାରାହାରି AQI ୩୬୪ (ଅତି ଖରାପ) ରହିଥିଲା । କିନ୍ତୁ କିଛି ସ୍ଥାନ, ଯେପରିକି ଆନନ୍ଦ ବିହାର, ୪୦୦ ଅତିକ୍ରମ କରି ‘ଗୁରୁତର’ ସ୍ତରରେ ପହଞ୍ଚିଥିଲା । ପବନର ଗତି କମିଯିବା, ଫସଲ ଅବଶେଷ ଜଳାଯିବା ଏବଂ ଶୀତକାଳୀନ ପ୍ରଦୂଷକ ନିର୍ଗମନ ଏହି ସ୍ଥିତି ପାଇଁ ମୁଖ୍ୟତଃ ଦାୟୀ।
ତେବେ, ଅତ୍ୟାବଶ୍ୟକ ସେବା ଯୋଗାଉଥିବା କିଛି ବିଭାଗକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ଏଥିରେ ଡାକ୍ତରଖାନା, ଅଗ୍ନିଶମ ବିଭାଗ, ଜଳ ଓ ବିଦ୍ୟୁତ୍ ଯୋଗାଣ, ସାଧାରଣ ପରିବହନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥାଗୁଡ଼ିକ ଅନ୍ତର୍ଭୁକ୍ତ।
ଏହା ସହିତ, ଟ୍ରାଫିକ୍ ଭିଡ଼ କମାଇବା ପାଇଁ ସରକାର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଏବଂ ଅନ୍ୟାନ୍ୟ ବିଭାଗଗୁଡ଼ିକର ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି, ଯାହାକି ଫେବ୍ରୁଆରୀ ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ମଧ୍ୟ କେବଳ ଋତୁକାଳୀନ GRAP ଉପରେ ନିର୍ଭର ନକରି ପ୍ରଦୂଷଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।








