ଭୁବନେଶ୍ବର: ୨୦୨୪ ନିର୍ବାଚନ ଫଳାଫଳ, ବିଜେଡି ହାରିବା ପଛର କାରଣକୁ ନେଇ ବିଭିନ୍ନ ସମୟରେ ଆଲୋଚନା, ଚର୍ଚା ଚାଲିଛି । ହେଲେ ମଝିରେ ମଝିରେ ବିଜେଡି ନେତାଙ୍କ ବିସ୍ଫୋରକ ବୟାନକୁ ରାଜନୀତିର ଆଲୋଚନାକୁ ବହୁଗୁଣିତ କରିଛି । ନିର୍ବାଚନର ଦେଢ ବର୍ଷ ପରେ ବି ଥମୁନି ଚର୍ଚା, ଜଣକ ପରେ ଜଣେ ନେତା ନିଜ ନିଜର ମତ ମନ୍ତବ୍ୟ ଦେଉଛନ୍ତି । କିଏ ଗଣମାଧ୍ୟମରେ ପ୍ରତିକ୍ରିୟା ରଖୁଛି ତ ଆଉ କିଏ ବିଭିନ୍ନ କାର୍ଯ୍ୟକ୍ରମ ଓ ସୋସିଆଲ ମିଡିଆ ବ୍ୟବହାର କରୁଛି । ଆଉ ବିଜେଡି ନେତାଙ୍କ ଏହି ମନ୍ତବ୍ୟ ପବନଠୁ ଆହୁରି କ୍ଷିପ୍ର ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କ୍ରମରେ ବିଜେଡିର ବରିଷ୍ଠ ନେତା ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ସୋସିଆଲ ମିଡିଆ ବୟାନକୁ ନେଇ ଚର୍ଚା ଜୋର ଧରିଛି ।
ମାହାଙ୍ଗାର ଏକ କାର୍ଯ୍ୟକ୍ରମରେ କିଛି ଦଳୀୟ କର୍ମୀଙ୍କୁ ସମ୍ବୋଧନ ଦେବାବେଳେ ନିଜର କ୍ଷୋଭ ଓ ଉଦବେଗ ପ୍ରକାଶ କରିଛନ୍ତି ପ୍ରତାପ ଜେନା । ୨୦୨୪ରେ ତାଙ୍କ ପୁଅ ଅଙ୍କିତ ଜେନା ମାହାଙ୍ଗାରୁ ପ୍ରାର୍ଥୀ ହୋଇଥିଲେ ତେବେ କେତେକ ବିଶ୍ବାସଘାତକଙ୍କ ପାଇଁ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଲା । ରାଜନୀତିର ଶାଳୀନତା ଭିତରେ ରହି କଡ଼ା ଭାଷାରେ ସେହି ବିଶ୍ବାସଘାତକଙ୍କୁ ସମାଲୋଚନା କରିଛନ୍ତି ପ୍ରତାପ । ମାହାଙ୍ଗାରେ ପୁଅ ହାରିବାର କାରଣ କହିବାକୁ ଯାଇ ପ୍ରତାପ କହିଛନ୍ତ ଯେ ପ୍ରଥମ ଭୁଲ ହେଉଛି ମୋ ନିଜର । ସେ ଭୁଲ ହେଉଛି କିଛି ଲୋକଙ୍କୁ ମୁଁ ଅନ୍ଧ ଭାବେ ବିଶ୍ବାସ କରୁଥିଲି । ଆଉ ସେମାନେ ମୋତେ ବିଶ୍ବାସଘାତକତା କଲେ । ମୋତେ ନୁହେଁ, ବିଜୁ ଜନତା ଦଳ ସହ ବିଶ୍ୱାଷଘାତକତା କଲେ । ତିନି, ଚାରି, ପାଞ୍ଚ ଦିନ ଅଛି ଟଙ୍କା ନେଇ ବିକ୍ରି ହୋଇଗଲେ । ଆଜି ସେମିତିକା ଲୋକ ଆମ ସହିତ ନାହାନ୍ତି । ଆଉ କିଛି ଲୋକ ବି ଛଦ୍ମବେଶରେ ଅଛନ୍ତି । କିନ୍ତୁ ମୁଁ ତ ଭାବୁଛି, ଠାକୁର ଯାହା କରନ୍ତି ଠିକ କରନ୍ତି । ଠିକ ଲୋକ ଆମ ସହ ଅଛନ୍ତି । ଭୁଲ ଲୋକ ଆମ ସହ ନାହାନ୍ତି । ଠକ, ବିଶ୍ବାସଘାତକ ଲୋକ ଆମ ସହ ନାହାନ୍ତି ।
ଯେଉଁମାନଙ୍କ ଉପରେ ଭରସା କରି ଅଞ୍ଚଳର ବିକାଶ ପାଇଁ କ୍ଷମତା ଦିଆଗଲା ସେମାନେ ଭିତରେ ଭିତରେ କ୍ଷମତାର ଅପବ୍ୟବହାର କଲେ । ଲୋକମାନଙ୍କୁ ମଣିଷ ପରି ଭାବିଲେନି କି ମଣିଷ ପରି ବ୍ୟବହାର ଦେଖାଇଲେ ନାହିଁ ଯେଉଁଥିପାଇଁ ଲୋକଙ୍କର କ୍ଷୋଭ ରହିଲା । ସେମାନଙ୍କ ଉପରେ ରାଗ ସୁଝାଇକି ଲୋକମାନେ ଆମକୁ ଭୋଟ ଦେଲେନାହିଁ । ଯେଉଁ ଲୋକ ସଚ୍ଚୋଟ ସେମାନେ ମୋ ସହ ଅଛନ୍ତି । କର୍ମୀଙ୍କୁ ସମ୍ବୋଧନ କରୁଥିବାବେଳେ ମଝିରେ ମଝିରେ କର୍ମୀଙ୍କ ଫିଡବ୍ୟାକ ବି ନେଉଥାନ୍ତି ପ୍ରତାପ । ଦଳ ପ୍ରତି ଆହୁରି କର୍ମୀଙ୍କ ମନୋବଳ ବଢ଼ାଇବା ଭଳି କଥା କହିଥିଲେ । ବେଇମାନ, ବିଶ୍ବାସଘାତକ ସିନା କ୍ଷତି କରି ଦଳ ଛାଡ଼ି ଚାଲିଗଲେ । ଏ ସବୁ ଭିତରେ ଦୀର୍ଘ ଦିନପରେ ପ୍ରତାପଙ୍କ କ୍ଷୋଭ, ଓ କାହାକୁ ଇଙ୍ଗିତ କଲେ ତାକୁ ନେଇ ନେଇ ଚାରିଆଡେ ଚର୍ଚା ।







