ଶକ୍ତିପୀଠରେ ମହାମହିମ: ମା’ ବିରଜାଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ

ଯାଜପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ୬ ଦିନିଆ ଗସ୍ତରେ ଆସି ଗତକାଲି ସନ୍ଧ୍ୟାରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଆଜି ସକାଳେ ରାଷ୍ଟ୍ରପତି ହେଲିକପ୍ଟର ଯୋଗେ ଯାଜପୁର ଗସ୍ତ କରି ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବା ସହ ମନ୍ଦିର ପରିସରସ୍ଥ ପବିତ୍ର ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱାଧୀନତା ପରେ କୌଣସି ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଯାଜପୁର ଜିଲ୍ଲା ଗସ୍ତ କରୁଥିବାରୁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଯାଜପୁର ପରେ ଅପରାହ୍ଣରେ ସେ ବାଲେଶ୍ୱର ଗସ୍ତ କରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଠାରେ ସେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବା ସହ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏହି ଅବସରରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୧୦୦୦ ଆସନ ବିଶିଷ୍ଟ ଏକ ନୂତନ ସମ୍ମିଳନୀ କକ୍ଷର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ସନ୍ଧ୍ୟାରେ ରାଷ୍ଟ୍ରପତି ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ଆଳତୀ ଦର୍ଶନ କରିବେ। ଆସନ୍ତାକାଲି ଅର୍ଥାତ ଫେବୃଆରୀ ୪ ତାରିଖ ସକାଳେ ସେ ଶ୍ୱେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କରିବା ସହ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଏହି ଭାବପୂର୍ଣ୍ଣ ଓ ଆଧ୍ୟାତ୍ମିକ ଗସ୍ତ ପାଇଁ ସାରା ଓଡ଼ିଶାରେ ଉତ୍ସାହର ମାହୋଲ ଦେଖାଦେଇଛି।

Latest Stories