ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଅନ୍ତିମ ଦିନ। ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟରୁ ନିଜର କାର୍ଯ୍ୟକ୍ରମ ଶେଷ କରି ସେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଗୁରୁବାର ରାତିରେ ସେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅନ୍ତର୍ଗତ ଗୁଡୁଗୁଡ଼ିଆ ବନ ବିଶ୍ରାମାଗାରରେ ରାତ୍ରିଯାପନ କରିଥିଲେ।
ଶୁକ୍ରବାର ସକାଳେ ରାଷ୍ଟ୍ରପତି ଗୁଡୁଗୁଡ଼ିଆ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ଆଦିବାସୀ ମହିଳା ଓ ଯୁବପିଢ଼ିଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ପ୍ରଗତି ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସହିତ ଅଞ୍ଚଳବାସୀଙ୍କୁ ଶୀତବସ୍ତ୍ର ମଧ୍ୟ ବଣ୍ଟନ କରାଯାଇଛି।
ଶିମିଳିପାଳରୁ ବାହାରି କଲାଇକୁଣ୍ଡା ବିମାନଘାଟି ଦେଇ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବେ। ସେଠାରେ ଆୟୋଜିତ ‘ବ୍ଲାକ ସ୍ୱାନ’ (Black Swan) ସମ୍ମିଳନୀରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଯୁକ୍ତିବିଦ୍ୟା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ର ଭବିଷ୍ୟତ ଉପରେ ଗୁରୁତ୍ୱାରୋପ କରାଯାଇଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେ ଶୁକ୍ରବାର ରାତିରେ ଲୋକ ଭବନରେ ରହିବେ ଏବଂ ଶନିବାର ସକାଳେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ। ପୂର୍ବରୁ ସେ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ନିଜ ଜନ୍ମମାଟି ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି।








