ଭୁବନେଶ୍ବର: ବିଜେଡିର ଉତ୍ତରାଧିକାରୀ ଓ ନେତୃତ୍ବକୁ ନେଇ ଗତ କିଛି ଦିନ ହେବ ରାଜନୀତି ଉଷ୍ମ ହେଉଥିବାବେଳେ ନେତାଙ୍କ ବୈଠକ ନିଆଁରେ ଘିଅ ଆହୁତ ପରି ଲାଗୁଛି । ପୂର୍ବରୁ ଅନେକ ବରିଷ୍ଠ ଓ ଯୁବ ନେତା ହୋଟେଲ, ଫାର୍ମ ହାଉସ ଓ ନେତାଙ୍କ ଘରେ ଏକାଠି ହେବାକୁ ନେଇ ତର୍କ ଓ ବିତର୍କ ପଦାକୁ ଆସିଛି। ସଫେଇ ଦେବାକୁ ଯାଇ କେଉଁ ନେତା ଏହାକୁ ବନ୍ଧୁ ମିଳନ, ଏକାଠି ହେବାର ଅବସର ବୋଲି କହିଛନ୍ତି । ଏମିତି କି ଏ ପ୍ରସଙ୍ଗ ବିଜେଡି ମୁଖ୍ୟାଳୟ ପର୍ଯ୍ୟନ୍ତ ଆସିଛି । ବିଜେଡିର ବରିଷ୍ଠ ଉପସଭାପତି ତଥା ଶୃଙ୍ଖଳା କମିଟି ମୁଖ୍ୟ ଦେବୀ ପ୍ରସାଦ ମିଶ୍ର କହିଥିଲେ ଦଳର ଯାହା ଆଲୋଚନା ହେବ ଶଙ୍ଖ ଭବନରେ ହିଁ ହେବ । ଏହାବାଦ ଅନ୍ୟ କିଏ କେଉଁଠି ଏକାଠି ହେବେ କାହାକୁ ମନା ନାହିଁ ତେବେ ଶଙ୍ଖ ଭବନ ବାହାରେ କେଉଁଠି ଦଳୀୟ ବ୍ୟାପାର ଆଲୋଚନା ହୁଏ ନାହିଁ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ଦେବୀ ।

ଏବେ ପ୍ରଶ୍ନ ଉଠୁଛି ବାହାରେ ନୁହେଁ ଖୋଦ ରାଜଧାନୀରେ ତାହାପୁଣି ଶଙ୍ଖ ଭବନଠାରୁ ମାତ୍ର ଅଳ୍ପ ଦୂରରେ ନେତାଙ୍କ ଘରେ ଏକାଠି ହେଉଛନ୍ତି ନେତା ଘଣ୍ଟାଘଣ୍ଟା ଧରି ହେଉଛି ଆଲୋଚନା ହେଲେ କିଛି କହୁ ନାହାନ୍ତି ନେତା । ଏମିତି ଏକ ରୋଚକ ମେଳି ଦେଖିବାକୁ ମିଳିଛି ମଙ୍ଗଳବାର ଯାଜପୁର ଜିଲ୍ଲାର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ଘରେ । ଯାହା ଆଲୋଚନା ହେଉଛି କିଛି ଖୋଜ ଖବର ନଥାଇ ହଠାତ ପ୍ରମିଳାଙ୍କ ଘରେ ପହଞ୍ଚିଥିଲେ ଜfଲ୍ଲାର ସବୁ ନେତା । ଏକାଠି ହୋଇଥିଲେ ଯାଜପୁରର ବିଧାୟିକା ସୁଜାତା ସାହୁ, ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡିରେ ପୂର୍ବତନ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି), ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ଜିଲ୍ଲାର ଅନ୍ୟ ନେତା । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ନେତାମାନେ ପ୍ରମିଳାଙ୍କ ଘରେ ରୁଦ୍ଧଦ୍ବାର ବୈଠକ କରିଥିଲେ ।

ଯାହାକୁ ପଚାରିଲେ କେବଳ ଗୋଟିଏ ଉତ୍ତର ସଂଗଠନ ନେଇ ଆଲୋଚନା, ଜିଲ୍ଲାରେ କେମିତି ମଜଭୁତ ରହିବ ଦଳ ସେ ନେଇ ଏକାଠି ବସି ଆଲୋଚନା କଲୁ । ଏସବୁ ଭିତରେ ପ୍ରୀତି ଘଡ଼ାଇଙ୍କ ଗଣମାଧ୍ୟମ ବୟାନକୁ ନେଇ ଚର୍ଚା ଜୋର ଧରିଛି। ପ୍ରୀତି ସିଧାସିଧା ଓ ଗମ୍ଭୀର କଣ୍ଠରେ ଅନେକ କଥା କହି ଦେଇଛନ୍ତି । ନିଜ କଥା କହିବାକୁ ଯାଇ ଭୋଟରଙ୍କ ନାଁରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରୀତି କହିଛନ୍ତି ଯେ, ଭୋଟର ଭାଇଭଉଣୀ, ଓଡ଼ିଶା ଜନସାଧାରଣଙ୍କର ନିର୍ଦ୍ଦେଶ କଣ, ତାଙ୍କର ମନୋଭାବ କଣ , ତାଙ୍କର ଇଛା କଣ ସେ ଦିଗରେ ଆମର ଦଳୀୟ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପଡ଼ିବ । ପୂର୍ବରୁ ଯେଉଁମାନେ ଭୋଟରଙ୍କ ଆଗରେ ନିଜକୁ ବାଘ ବୋଲି କହୁଥିଲେ ଏବେ ସେମାନେ କାଗଜ ବାଘ ହୋଇଯାଇଛନ୍ତି । ସିଏ ଆଉ ଚଳିବ ନାହିଁ, ତେଣୁ ଜନସାଧାରଣ ଚାହୁଁଛନ୍ତି ବର୍ତ୍ତମାନ ନେତୃତ୍ଵ ଯାହାଙ୍କ ହାତରେ ଚାହୁଁଛନ୍ତି ଏମିତି କହି ତାପରେ ବୁଲେଇ ବଙ୍କେଇ ଭୋଟର ଚାହୁଁଛନ୍ତି କହି ପରୋକ୍ଷରେ ନେତୃତ୍ବକୁ ଇଙ୍ଗିତ କରିଛନ୍ତି । ଯାଜପୁରରେ ବଡ଼ ନେତା ସେ ପ୍ରସଙ୍ଗ କିଛି ନାହିଁ, ସେ ପ୍ରସଙ୍ଗ ବର୍ତ୍ତମାନ ଦାୟିତ୍ବ ନେବାର ସମୟ ଆସିଛି । ଉପଯୁକ୍ତ ଲୋକ ଦାୟିତ୍ବ ନେବା ଦରକାର l ସମସ୍ତଙ୍କ ମନରକଥା ବୁଝିକି ଦଳକୁ ସଂଗଠିତ କରିକି ଆଗକୁ ନେବା ଆବଶ୍ୟକ, ଆଜିକା ଦିନରେ ନୂତନ ନେତୃତ୍ବ ଚାହୁଁଛନ୍ତି ଜନସାଧାରଣ ବୋଲି ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି ।
ସେପଟେ ଆମ ଦଳରେ କିଛି ଫାଟ ନାହିଁ ବୋଲି ପ୍ରମିଳା କହିଛନ୍ତି । ତେବେ ମଙ୍ଗଳବାର ବୈଠକକୁ ନେଇ ଯେତିକି ଆଲୋଚନା, ତାଠୁ ବେଶୀ ପ୍ରୀତିଙ୍କ ପ୍ରତିକ୍ରିୟାକୁ ନେଇ । ରାଜନୀତି ବିଶାରଦଙ୍କ ମତ, ଏଯାଏ ଦଳର ସମସ୍ତ ନେତାଙ୍କ ଗୋଟିଏ କଥା ନବୀନ ଆମ ନେତା, ନେତୃତ୍ହ ସୁଦୃଢ଼ ଅଛି। ତେବେ କେଉଁ ପ୍ରସଙ୍ଗରେ ପ୍ରୀତି ଏମିତି କହିଲେ, କାହିଁକି କହିଲେ ସେ ନେଇ ଚାଲିଛି ବିଶ୍ଳେଷଣ। ଅନେକଙ୍କ ମତରେ ନିଜର ଅସନ୍ତୋଷକୁ ପ୍ରକାଶ କରିବା ନେଇ ଭୋଟରଙ୍କ ନାଁ ନେଇ ଲୋକେ ନେତୃତ୍ବ ପରିବର୍ତ୍ତନ ପାଇଁ ଚାହୁଁଛନ୍ତି ବୋଲି ଭୋଟରଙ୍କ ଭାଷା ପ୍ରୀତି ପ୍ରକାଶ କରିଛନ୍ତି । ଯାହାକି ଦଳୀୟ ମହଲରେ ଆଲୋଚନା ହେଉଛି । ଅବଶ୍ୟ ଏହାକୁ ନେଇ କୌଣସି ନେତା କିଛି କହି ନାହାନ୍ତି ତେବେ ପ୍ରୀତିଙ୍କ କଥାକୁ ନେଇ ଦଳ ଭିତରେ କେଁ ଆରମ୍ଭ ହୋଇଛି। ଅନ୍ୟପଟେ ପ୍ରୀତି କହିଛନ୍ତି ଯାଜପୁରରେ ବଡ଼ ନେତା ପ୍ରସଙ୍ଗ କିଛି ନାହିଁ ଅର୍ଥାତ ଗତ କିଛି ଦିନ ହେଲା ଯାହା ଚର୍ଚା ହେଉଥିଲା ବବି ଦାସଙ୍କ ପତିଆରାକୁ ନେଇ ତାକୁ ସିଧାସିଧା ଖଣ୍ଡନ କରିଛନ୍ତି ପ୍ରୀତି । ପ୍ରଥମ ଥର ପାଇଁ ସେ ବବିଙ୍କୁ ବି ବଡ଼ ନେତା ମାନିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ଭୋଟରଙ୍କ ନାଁ ନେଇ କହିଛନ୍ତି। ପ୍ରମିଳାଙ୍କ ଘରେ ହେଉଥିବା ବୈଠକରେ ଯଦିଓ ଉଭୟ ବବି ଓ ପ୍ରୀତି ପାଖାପାଖି ବସିଥିଲେ ଓ ଖୁସି ମିଜାଜରେ ବାର୍ତ୍ତାଳାପ କରୁଥିବାର ଦେଖଯାଇଥିଲା ରାଜ୍ୟ ଓ ଜିଲ୍ଲାରେ ନେତୃତ୍ବକୁ ନେଇ ପ୍ରୀତିଙ୍କ ମନ୍ତବ୍ୟ ଚର୍ଚାର ପ୍ରସଙ୍ଗ ପାଲଟିଛି। ଜିଲ୍ଲା ରାଜନୀତିକୁ ବିଶ୍ଳଷଣ କରୁଥିବା ବିଶାରଦ କହିଛନ୍ତି ଦୀର୍ଘଦିନ ଧରି ଚାଲିଥିବା ଶୀତଳ ଯୁଦ୍ଧକୁ ପ୍ରକାଶ କରିଛନ୍ତି ପ୍ରୀତି । ଅନ୍ୟପଟେ ବିଜେଡିର ନେତୃତ୍ହକୁ ନେଇ ଯାହା ଚାରିଆଡେ ଆଲୋଚନା ହେଉଥିଲା ଏମିତି କହି ପ୍ରସଙ୍ଗକୁ ଜୀବନ୍ତ କରିବାକୁ ପ୍ରୀତି ଜାଣତ ହେଉ ବା ଅଜାଣତରେ ଉଦ୍ୟମ କରିଛନ୍ତି ବୋଲି ରାଜନୀତି ସମୀକ୍ଷକ କହିଛନ୍ତି ।







