ଦଳ ଛାଡ଼ି ଯାଆନ୍ତୁ! ମୋକିମଙ୍କୁ ପିସିସି ସଭାପତିଙ୍କ ଚରମବାଣୀ

କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ

ଭୁବନେଶ୍ବର: ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କଂଗ୍ରେସରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ବର୍ତ୍ତମାନ ଏକ ବଡ଼ ଝଡ଼ ସୃଷ୍ଟି ହୋଇଛି । କିଛି ଦିନ ତଳେ ସେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଏହି ପ୍ରସଙ୍ଗରେ ଆଜି ଦିଲ୍ଲୀରୁ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ଭକ୍ତ ଚରଣ ଦାସ ମହମ୍ମଦ ମୋକିମଙ୍କୁ କଟାକ୍ଷ କରି କହିଛନ୍ତି ଯେଉଁ ନେତାମାନେ ବିଜେପି ସହ ସମ୍ପର୍କରେ ଅଛନ୍ତି, ସେମାନେ ବିଜେପି ଚାଲିଯିବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ବର୍ତ୍ତମାନର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି, ତେଣୁ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ ।

ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ଯାଇ ପାରିବ ନାହିଁ ବୋଲି ଉଲ୍ଲେଖ କରିଥିଲେ । ଏହାସହ ସେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ମୋକିମ ଲଗାତାର ଦୁଇଟି ନିର୍ବାଚନରେ ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସକୁ ବିଜୟୀ କରାଇଛନ୍ତି । ତାଙ୍କ ଝିଅ ସୋଫିଆ ଫିରଦୋସ ବର୍ତ୍ତମାନ ସେହି ଆସନରୁ ବିଧାୟିକା ଅଛନ୍ତି । ଦଳ ତାଙ୍କୁ ସାଙ୍ଗଠନିକ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱ ନ ଦେବା ତାଙ୍କ ଅସନ୍ତୋଷର ମୁଖ୍ୟ କାରଣ ବୋଲି କୁହାଯାଉଛି । କଂଗ୍ରେସରେ ସୁରେଶ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁଙ୍କ ଭଳି ଅନେକ ବରିଷ୍ଠ ନେତା ମଧ୍ୟ ସନ୍ତୁଷ୍ଟ ନାହାନ୍ତି ବୋଲି ଶୁଣିବାକୁ ମିଳୁଛି ।

ଅନ୍ୟପଟେ କଟକର ପ୍ରମୁଖ ତିନି ଦଳର ନେତାମାନଙ୍କ ମଧ୍ୟରେ ବିଦ୍ରୋହ ଭାବ ଦେଖାଦେଇଛି । କଂଗ୍ରେସର ମହମ୍ମଦ ମୋକିମ ଓ ବିଜୟଲକ୍ଷ୍ମୀ ସାହୁ ହୁଅନ୍ତୁ କି ବିଜେଡିର ଦେବାଶିଷ ସାମନ୍ତରାୟ, ପ୍ରଭାତ ତ୍ରିପାଠୀ କିମ୍ବା ବିଜେପିର ବରିଷ୍ଠ ନେତାମାନେ, ସମସ୍ତେ ନିଜ ନିଜ ଦଳରେ ନିଜ ସ୍ଥିତିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ।

ଅନ୍ୟ ଏକ ଖବର ଅନୁଯାୟୀ, କଥିତ ‘ଭୋଟ ଚୋରି’ ପ୍ରସଙ୍ଗକୁ ନେଇ ଆଜି ଦିଲ୍ଲୀର ରାମଲୀଲା ମଇଦାନରେ କଂଗ୍ରେସ ପକ୍ଷରୁ ଏକ ବଡ଼ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଦିଲ୍ଲୀରେ କଂଗ୍ରେସ ନେତା ଓ କର୍ମୀଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି । ବିକ୍ଷୋଭ ପରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବାକୁ ଦଳ ପ୍ରସ୍ତୁତି ଚଳାଇଛି ।

ଏହି ରାଲିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସମ୍ୱୋଧିତ କରିବେ ।

ଏହା ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସୋନିଆ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଓ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିରେ ସାମିଲ ହେବେ । କଂଗ୍ରେସର ଅଭିଯୋଗ ହେଉଛି ଯେ ସରକାର ଓ ନିର୍ବାଚନ କମିସନ ମିଳିମିଶି ଦେଶରେ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି । ଏହା ବିରୁଦ୍ଧରେ ସାଧାରଣ ଜନତାଙ୍କୁ ସଚେତନ କରିବା ଏବଂ ନିର୍ବାଚନ କମିସନ ଉପରେ ଚାପ ପକାଇବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories