ଭୁବନେଶ୍ବର: ରାଜ୍ୟସଭାରେ କଟକ ଜିଲ୍ଲାପାଳଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ ଦାବି କଲେ ସାଂସଦ ଦେବାଶିଷ ସାମନ୍ତରାୟ । ନାମ ଫଳକକୁ ନେଇ ବିବାଦ । ନାମଫଳକରେ ନାଁ ନଥିବା ଓ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାନଯିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର । ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟୟ । ପ୍ରାଶାସନିକ ଅଧିକାରୀଙ୍କ ଉପରେ ରାଜ୍ୟସଭାରେ ବର୍ଷିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ଉଦ୍ଘାଟନୀ ଫଳକରୁ ନାମ ବାଦ୍ ପଡ଼ିବାକୁ ନେଇ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି ଦେବାଶିଷ । ଉପରାଷ୍ଟ୍ରପତିଙ୍କ ନିକଟରେ ଗୃହର ମର୍ଯ୍ୟାଦା ହାନି ହୋଇଥିବା ନେଇ ବିବୃତ୍ତି ରଖିଛନ୍ତି ଦେବାଶିଷ । କଟକ ଜିଲ୍ଲାପାଳଙ୍କ ବିରୋଧରେ ‘ପ୍ରିଭିଲେଜ୍ ନୋଟିସ୍’ ଜାରି କରିବାକୁ ଦାବି ଗୃହରେ ଦାବି କରିଛନ୍ତି ସାଂସଦ ଦେବାଶିଷ ।
ରାଜ୍ୟସଭାରେ ପ୍ରସଙ୍ଗ ଉଠିବାର ଦିନକ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ଜିଲ୍ଲାପାଳଙ୍କ କହିବା କଥା କାର୍ଯ୍ୟକ୍ରମକୁ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଇ-ମେଲ ଯୋଗେ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ଯଦି ଏ ନେଇ କିଛି ତ୍ରୁଟି ଅଛି ତେବେ ବ୍ୟକ୍ତିଗତ ଭାବେ ସାଂସଦଙ୍କୁ ଭେଟି କଥା ହେବେ । ପ୍ରୋଟୋକଲରେ ଯଦି କିଛି ତ୍ରୁଟି ରହିଯାଇଥାଏ ତାର ଅନୁଧ୍ୟାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସୂଚନା ଥାଉକି ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଇଁ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମପୀଠରେ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର କେ. ହରିବାବୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ସେଠୀ, କଟରକ ମେୟର ସୁବାସ ସିଂ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ସବୁ ଅତିଥିଙ୍କ ନାଁ ନାମଫଳକରେ ଲେଖାଯାଇଛି । ତେବେ ନାମଫଳକରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନାହିଁ । ସେହିଦିନ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସାମନ୍ତରାୟଙ୍କୁ ଦେଖିବାକୁ ମିଳିନଥିଲା । ଏହା ପଛର କାରଣ ଦେବାଶିଷଙ୍କୁ ନିମନ୍ତ୍ରଣ ହୋଇନଥିବା ଚାରିଆଡ଼େ ଆଲୋଚନା ହୋଇଥିଲା । ତେବେ ସାଂସଦ ଶ୍ରୀ ସାମନ୍ତରାୟ ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇବା ପରେ ସ୍ପଷ୍ଟ ହୋଇଛି । ଅନ୍ୟ ଦଳର ବିଧାୟକଙ୍କ ନାମ ଥାଇ ତାଙ୍କୁ କାହିଁକି ଅଣଦେଖା କରାଗଲା ବୋଲି ରାଜ୍ୟସଭାରେ ଶ୍ରୀ ସାମନ୍ତରାୟ ପ୍ରଶ୍ନ କରିଛନ୍ତି । ଗୃହର ମର୍ଯ୍ୟାଦା ହାନି ହୋଇଥିବା ସେ ଅଭିଯୋଗ । ଉଦ୍ଘାଟନୀ ଫଳକରୁ ନାଁ କଟିବା ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି ସାଂସଦ । ଏଥିପାଇଁ କଟକ ଜିଲ୍ଲାପାଳଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ ଦାବି କରିଛନ୍ତି । ସାମ୍ବିଧାନିକ ଶିଷ୍ଟାଚାର ଉଲ୍ଲଂଘନ ହୋଇଥିବା ନେଇ ସାଂସଦ ରାଜ୍ୟସଭାରେ ଅଭିଯୋଗ କରିଛନ୍ତି । ପ୍ରଶାସନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ବୁଦ୍ଧିଜୀବୀଙ୍କ ମହଲରେ ନାପସନ୍ଦ କରାଯାଇଛି ।







