ହରଭଙ୍ଗା (ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ଅନ୍ତର୍ଗତ ବଘାରପାଲି ଗ୍ରାମର ରମେଶ ପ୍ରଧାନ ଜଣେ ଖ୍ୟାତିସମ୍ପନ୍ନ କୃଷକ ଭାବରେ ହରଭଙ୍ଗା ଅଞ୍ଚଳରେ ବେଶ ପରିଚିତ l ଜୈବିକ ପଦ୍ଧତିରେ ଚାଷ କରି ସେ ବେଶ ସଫଳ l ବର୍ତ୍ତମାନ ସେ ନିଜେ ଭଲ ରୋଜଗାର କରିବା ସହ ଆଉ ୪ ଜଣ ଲୋକଙ୍କୁ ମଧ୍ୟ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି l କୌଣସି ରାସାୟନିକ ସାର ବ୍ୟବହାର ନ କରି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ପନିପରିବା ଏବଂ ଫଳ ଚାଷ କରି ଲାଭବାନ ହୋଇପାରିଛନ୍ତି l ରମେଶ ପୂର୍ବରୁ ଜଣେ ଠିକାଦାର ଭାବରେ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିଲେ l ବର୍ତ୍ତମାନ ସେ ଜଣେ ସଫଳ ଚାଷି ଭାବରେ ବେଶ ଉପକୃତ l ନିଜ ପରିଶ୍ରମ ଓ ସଂଘର୍ଷ ଦ୍ୱାରା ସେ ଆଜି ଗାଁ ଯୁବକମାନଙ୍କ ପାଇଁ ପ୍ରେରଣାର ସ୍ତମ୍ଭ ହୋଇପାରିଛନ୍ତି l
ମାତ୍ର ୨ ଏକର ଜମିରେ ଜୈବିକ ପ୍ରଣାଳୀରେ ବିଭିନ୍ନ ପ୍ରକାର ପନିପରିବା ଚାଷ ସହ ଫଳ ଚାଷ ମଧ୍ୟ କରାଯାଇଛି l ଧାଡ଼ିରେ ଲାଗିଥିବା ଅମୃତ ଭଣ୍ଡା ସାଙ୍ଗକୁ କଦଳୀ ଗଛରେ କଦଳୀ କାନ୍ଧି ତଳକୁ ଲୋଟି ପଡ଼ିଛି l ଖାଲି ସେତିକି ନୁହେଁ ଫୁଲକୋବି, ପତ୍ରକୋବି, ବାଇଗଣ, କାକୁଡି, ଜହ୍ନି, ମକା, ସାରୁ, ଲଙ୍କା ଏବଂ ଗାଜର ଭଳି ଅନେକ ପନିପରିବା ଲାଗିଛି l ସମସ୍ତ ପନିପରିବା ଜୈବିକ ପ୍ରକ୍ରିୟାରେ ଚାଷ ହେଉଥିବାରୁ ବଜାରରେ ଏହାର ଚାହିଦା ବେଶ ଅଧିକ ରହିଛି ବୋଲି ରମେଶ ପ୍ରକାଶ କରିଥିଲେ l
ଜୈବିକ ଚାଷ କରିବା ପାଇଁ ରମେଶ ଗୋବର ଖତ ବ୍ୟବହାର କରନ୍ତି l ପରିବେଶ ଓ ମାଟିକୁ ସୁସ୍ଥ ରଖିବା ପାଇଁ ସେ କୀଟନାଶକ ଭିତରେ ବୃକ୍ଷ ନିରୋଧକ ହଳଦୀ, ନିମ୍ବ ଓ ଅନ୍ୟାନ୍ୟ ପ୍ରାକୃତିକ ବସ୍ତୁ ବ୍ୟବହାର କରୁଛନ୍ତି l ଏହା ଫଳରେ ତାଙ୍କର ଜମି ସ୍ୱସ୍ଥ ଓ ଉର୍ବର ରହିବା ସହ ଭଲ ଅମଳ ଦେଇଥାଏ l ଜୈବିକ ଚାଷରେ ଖର୍ଚ୍ଚ କମ ଏବଂ ଲାଭ ଅଧିକ ହୋଇଥାଏ l ବର୍ତ୍ତମାନ ରମେଶ ବାବୁଙ୍କ ବାର୍ଷିକ ଆୟ ୭ ରୁ ୮ ଲକ୍ଷ ଟଙ୍କା ହେଉଛି l ବାଡ଼ିରେ ଉତ୍ପାଦିତ ପନିପରିବାକୁ ସ୍ଥାନୀୟ ହାଟରେ ବିକ୍ରି କରିବା ସହ ବଳକା ଜିନିଷକୁ କଟକ, ଭୁବନେଶ୍ୱର ଓ ପୁରୀ ମାର୍କେଟକୁ ରପ୍ତାନି କରାଯାଉଛି l “ଚାଷ କାମ ଯାହାର କି ଆନନ୍ଦ ତାହାର, ଚାଷି ଭାଇ ଯୋଗାଉଛି ଦୁନିଆକୁ ଆହାର” ଏହା ପ୍ରମାଣିତ ହୋଇଛି l
ଏଭଳି ଜୈବିକ ଚାଷ ଦ୍ୱାରା ରମେଶ ପ୍ରଧାନ ନିଜ ଜୀବନକୁ ଉନ୍ନତ କରି ଅନେକ ଯୁବକଙ୍କୁ ପ୍ରେରଣା ଦେଇଛନ୍ତି l ତାଙ୍କ ମତରେ ଯଦି କଠୋର ଇଛାଶକ୍ତି ଓ ପରିଶ୍ରମ ଥାଏ ତେବେ କୌଣସି ବି କାର୍ଯ୍ୟ ଅସମ୍ଭବ ନୁହେଁ l ତେବେ ସରକାରୀସ୍ତରରେ ତାଙ୍କୁ ଯଦି ସହାୟତା ଯୋଗାଇ ଦିଆଯିବ ତେବେ ସେ ଆହୁରି ଉନ୍ନତମାନର ଚାଷ ସହିତ ଅଧିକ ଟଙ୍କା ଆୟ କରିପାରିବେ ବୋଲି ରମେଶ ପ୍ରଧାନ ମତ ପ୍ରକାଶ କରିଛନ୍ତି l
ଏନେଇ ହରଭଙ୍ଗା ବ୍ଲକ ଦାୟିତ୍ୱରେ ନିୟୋଜିତ ବୌଦ୍ଧ ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ପୂଜା ବାରିକଙ୍କୁ ପଚାରିବାରୁ ସେ ମାତ୍ର ୨୦- ୨୫ ଦିନ ହେବ ହରଭଙ୍ଗା ବ୍ଲକର ଦାୟିତ୍ୱ ଭାର ଗ୍ରହଣ କରିଥିବା ଯୋଗୁଁ ଏସମ୍ପର୍କରେ କିଛି ଜାଣିନଥିବା କହିଥିଲେ l ଆଗାମୀ ଦିନରେ ରମେଶ ପ୍ରଧାନଙ୍କ ଭଳି ଲୁକ୍କାୟିତ ପ୍ରତିଭା ସମ୍ପନ୍ନ ଚାଷିମାନଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ଜନହିତକାରୀ ଯୋଜନାରେ ସାମିଲ କରିବା ସହ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମତ ରଖିଥିଲେ l







