ବୌଦ୍ଧ /ହରଭଙ୍ଗା,(ସର୍ବେଶ୍ୱ ର କ୍ଷେତି): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ଼ ଗ୍ରାମର ତରଭୁଜ ଓ ଗୁଆଁର ଚାଷ ଜିଲ୍ଲା ଏବଂ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି l ରାମଗଡ ଗ୍ରାମର ମହାନଦୀ କୁଳିଆ ନାଲି ଓ ଉର୍ବର ବାଲି ମାଟି ଚାଷୀଙ୍କୁ ଦେଉଛି ସୁନାର ଫସଲ l ୨.୫ ମାସରୁ ୩ ମାସ ଭିତରେ ରାସାୟନିକ ସାର ବିନା ଜୈବିକ ଖତ ଓ ମହାନଦୀର ପଟୁମାଟି ଏକର ପିଛା ଚାଷିଙ୍କୁ ୧ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ରୋଜଗାର କରି ଆତ୍ମନିର୍ଭରଶୀଳ କରୁଛି l ରାମଗଡର ଗୁଆଁର ଭାରି ସୁଆଦିଆ l ସୁଆଦିଆ ପାଇଁ ଚାହିଦା ଅଧିକ ସେଥିପାଇଁ ଜିଲ୍ଲା ତଥା ବାହାର ରାଜ୍ୟର ବେପାରୀଙ୍କ ଭିଡ ଜମୁଛି l ଜଣେ କି ଦୁଇ ଜଣ ନୁହଁ ଗ୍ରାମରେ ସମସ୍ତ ଚାଷି ହେକ୍ଟର ହେକ୍ଟର ଜମିରେ ଗୁଆଁର ଉତ୍ପାଦନ କରୁଛନ୍ତି l ସମ୍ପ୍ରତି ରାମଗଡ ଗ୍ରାମର ଚାଷୀଙ୍କୁ ରୋଜଗାର ଦେଉଛି ଗୁଆଁର ଓ ତରଭୁଜ ଚାଷ l
ବାହାର ବଜାର ହେଉ କି ନିଜ ବାଡିରୁ ହେଉ ରୋଷେଇ ଘରକୁ ପଶିଥାଏ ଭଳିକିଭଳି ପନିପରିବା l ସେଥିମଧ୍ୟରୁ ଗୁଆଁର ବାବଦରେ ସହରାଞ୍ଚଳରେ ଲୋକେ ବହୁ କମ ଜାଣିଥାନ୍ତି l କାରଣ ଏହା ବହୁତ କମ ପରିମାଣରେ ବଜାରରେ ମିଳିଥାଏ l ସେଥିପାଇଁ ପ୍ରତିଦିନ ବେପାରୀମାନଙ୍କ ଭିଡ ଚାଷୀଙ୍କ ବାଡ଼ିରେ ଲାଗିବା ସହିତ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗୁଆଁର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ଅନୁଗୁଳ, ଛତିଶଗଡ଼ର ରାଇପୁର, ରାଜସ୍ଥାନର ଜୟପୁର ଆଦି ସ୍ଥାନକୁ ରପ୍ତାନି ହେଉଛି l ସେପଟେ ଗ୍ରୀଷ୍ମ ଋତୁରେ ରାମଗଡର ତରଭୁଜ ବିଦେଶକୁ ରପ୍ତାନି ହେଉଥିବା ବହୁ ସମୟରେ ନଜିରକୁ ଆସିଛି l
ଏହି ମାଟିରେ ଉତ୍ପାଦିତ ୧୫ରୁ ୨୦ କି.ଗ୍ରା ଓଜନର ସୁଆଦିଆ ତରଭୁଜ କିଲୋ ପିଛା ୧୨ ରୁ ୧୫ ଟଙ୍କାରେ ଚାଷୀଠୁ କିଣି ଉଭୟ ଚାଷି ଓ ବେପାରୀ ମଧ୍ୟ ଲାଭବାନ ହେଉଛନ୍ତି l ଶୀତ ଋତୁରେ ଡାଲି ଜାତୀୟ ଫସଲ ଚାଷ ନ କରି ରାମଗଡ, ପ୍ରଗଳପୁର, ପଲସାପାଟ ସହିତ କୋଇଲିସୁତା ଗ୍ରାମର ଚାଷିମାନେ ଗୁଆଁର ଚାଷ କରୁଛନ୍ତି l ଗୁଆଁର ଯେ କେବଳ ପାଟିକୁ ସୁଆଦିଆ ତାହା ନୁହଁ ଗୁଆଁର ଚାଷ ଚାଷୀଙ୍କୁ ଭଲ ରୋଜଗାର ଦେଉଛି l ଶ୍ରାବଣ ମାସରୁ ଆରମ୍ଭ ହୋଇଥିବା ଗୁଆଁର ଚାଷ କାର୍ତ୍ତିକ ମାସରୁ ଅମଳ ଆରମ୍ଭ କରି ମାର୍ଗଶିର ଏବଂ ପୌଷ ମାସ ତମାମ ଅମଳ ହୋଇଥାଏ l
ଗୁଆଁର ଏକ ଲାଭଦାୟକ ଚାଷ ହୋଇଥିବାରୁ ରାମଗଡ ଗ୍ରାମର ପ୍ରାୟ ଚାଷି ଗୁଆଁର ଚାଷ କିଲୋ ପିଛା ୪୦ ରୁ ୫୦ ଟଙ୍କାରେ ବିକ୍ରି କରି ବେଶ ଲାଭବାନ ହୋଇପାରୁଛନ୍ତି l ସେପଟେ ବଡ଼ ବଡ଼ କମ୍ପାନୀ ଗୁଆଁରରୁ ବିହନ ଉତ୍ପାଦନ ଓ ଚୋପାକୁ ଉନ୍ନତମାନର ଛେଳି ଓ ଗାଈ ପାଇଁ ଦାନା ମଧ୍ୟ ପ୍ରସ୍ତୁତ କରୁଛନ୍ତି l ରାମଗଡରୁ ଉତ୍ପାଦିତ ଗୁଆଁର ରାଇପୁର ଓ ରାଜସ୍ତାନର ଜୟପୁରରେ ବିହନ ଉତ୍ପାଦନ କରି ବିହନ କିଲୋ ପିଛା ୬,୦୦୦ ରୁ ୭,୦୦୦ ଟଙ୍କାରେ ବିଭିନ୍ନ ଟ୍ରେଡ଼ର୍ସ ନାମରେ ବଜାରରେ ଉପଲବ୍ଧ ହେଉଛି l ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ତରଭୁଜ ଓ ଗୁଆଁର ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଲେ ଜିଲ୍ଲାର ଅନେକ ଚାଷି ଦାଦନ ମୁଁହା ନ ହୋଇ ଆତ୍ମନିର୍ଭରଶୀଳ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଉଛି l







