ରବିବାରରେ ‘ବିକଶିତ ଭାରତ’ର ରୋଡମ୍ୟାପ୍‌, ଆଜି ଉପସ୍ଥାପନ ହେବ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭

ରବିବାରରେ ‘ବିକଶିତ ଭାରତ’ର ରୋଡମ୍ୟାପ୍‌, ଆଜି ଉପସ୍ଥାପନ ହେବ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ରୀୟ ବଜେଟ୍‍ ୨୦୨୬-୨୭ ଉପସ୍ଥାପନ କରୁଛନ୍ତି। ଆଜି ଦିନ ୧୧ ଟା ବେଳେ ଦେଶ ର ବଜେଟ ଉପସ୍ଥାପନ କରିବେ ଶ୍ରୀମତୀ ସୀତାରମଣ। ଲୋକସଭାରେ ବଜେଟ୍‍ ଉପସ୍ଥାପନ ପରେ ବଜେଟ୍‍ର କପି ରାଜ୍ୟସଭାରେ ଉପସ୍ଥାପିତ ହେବ । ଭାରତୀୟ ସଂସଦୀୟ ଇତିହାସରେ ଏହା ଏକ ବିରଳ ମୁହୂର୍ତ୍ତ, କାରଣ ଦୀର୍ଘ ୨୭ ବର୍ଷ ପରେ ପ୍ରଥମ ଥର ପାଇଁ ରବିବାର ଦିନ ବଜେଟ୍ ଆଗତ ହେଉଛି। ଏହା ପୂର୍ବରୁ ୧୯୯୯ ମସିହାରେ ବାଜପେୟୀ ସରକାରଙ୍କ ସମୟରେ ରବିବାର ଦିନ ବଜେଟ୍ ଉପସ୍ଥାପିତ ହୋଇଥିଲା। ଏହି ସ୍ୱତନ୍ତ୍ର ଅବସର ପାଇଁ ଆଜି ସାପ୍ତାହିକ ଛୁଟି ଦିନ ହୋଇଥିଲେ ମଧ୍ୟ ସେୟାର ବଜାର ଖୋଲା ରହିଛି, ଯାହା ନିବେଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଅର୍ଥମନ୍ତ୍ରୀ ଭାବେ ଶ୍ରୀମତୀ ସୀତାରମଣଙ୍କର ଏହା କ୍ରମାଗତ ୯ମ ବଜେଟ୍, ଯାହା ନିଜେ ଏକ ନୂତନ ରେକର୍ଡ।

ଚଳିତ ବଜେଟରୁ ମଧ୍ୟବିତ୍ତ ଶ୍ରେଣୀ ଏବଂ ଚାକିରିଆମାନେ ଅନେକ ଆଶା ରଖିଛନ୍ତି। ବିଶେଷ କରି ଆୟକର ଛାଡ଼ ସୀମା ବୃଦ୍ଧି ଏବଂ ଷ୍ଟାଣ୍ଡାର୍ଡ ଡିଡକସନକୁ ୭୫ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସାଧାରଣରେ ଦାବି ହେଉଛି। ବିଶ୍ୱ ବଜାରରେ ଦେଖାଦେଇଥିବା ଆର୍ଥିକ ଅସ୍ଥିରତା ଓ ଆମେରିକୀୟ ଶୁଳ୍କ ନୀତିର ପ୍ରଭାବରୁ ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଏଥିରେ କଠୋର ପଦକ୍ଷେପ ନିଆଯାଇପାରେ। ଯୁବପିଢିଙ୍କ ପାଇଁ ରୋଜଗାର ଓ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯାଉଥିବା ବେଳେ ରେଳବାଇ, ପ୍ରତିରକ୍ଷା ଓ ସବୁଜ ଶକ୍ତି କ୍ଷେତ୍ରରେ ବଡ଼ ଧରଣର ପୁଞ୍ଜି ନିବେଶ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି।

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ନେଇ ସରକାର ଏହି ବଜେଟରେ ଗ୍ରାମୀଣ ବିକାଶ ଓ କୃଷି କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ସହିତ ସୁନା ଓ ରୁପା ଦର ନିୟନ୍ତ୍ରଣ କରିବା ପାଇଁ ଆମଦାନୀ ଶୁଳ୍କରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ସାମଗ୍ରିକ ଭାବେ, ଏହି ବଜେଟ୍ କେବଳ ଏକ ଆର୍ଥିକ ଦଲିଲ ନୁହେଁ, ବରଂ ଆଗାମୀ ବର୍ଷଗୁଡ଼ିକ ପାଇଁ ଦେଶର ପ୍ରଗତିର ଏକ ପ୍ରତିଫଳନ ବୋଲି ବିବେଚନା କରାଯାଉଛି।

Latest Stories