ଦରଦାମ୍ ବୃଦ୍ଧି ସମୟରେ ଶେଆର୍ ମାର୍କେଟ୍ ଉପରେ ପଡ଼ିଛି ଚଡ଼କ । ଆମେରିକା ଡଲାର୍ ତୁଳନାରେ ପୁଣି ଦୁର୍ବଳ ହୋଇଯାଇଛି ଟଙ୍କା । ଯାହା ପୂର୍ବର ସମସ୍ତ ରେକର୍ଡଠୁ ଦୁର୍ବଳ ସ୍ଥିତିରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଟଙ୍କା ମୂଲ୍ୟ ଏତେ ହ୍ରାସ ପାଇଛି ଯେ, ଯାହା ପୂର୍ବରୁ କେବେ ହୋଇନଥିଲା । ଏହି ହ୍ରାସ ସହ ଏବେ ଟଙ୍କାର ମୂଲ୍ୟ ଆମେରିକୀୟ 1 ଡଲାର୍ ତୁଳନାରେ 90.13 ଟଙ୍କାରେ ପହଞ୍ଚିଛି ।
ସବୁଦିନ ଭଳି ଆଜି ସକାଳେ ମଧ୍ୟ ଶେୟାର ବଜାର ଖୋଲିଥିଲା । ହେଲେ ମାର୍କେଟ୍ ଖୋଲୁ ଖୋଲୁ ଟଙ୍କାର ମୂଲ୍ୟ ଡଲାର୍ ତୁଳନାରେ ସବୁଠୁ ତଳକୁ ଖସି ଆସିଥିଲା । ଯାହା ପୂର୍ବ ତୁଳନାରେ ସବୁଠୁ କମ୍ । ଦିନକୁ ପୂର୍ବରୁ ଟଙ୍କାର ମୂଲ୍ୟ 1 ଡଲାର୍ ତୁଳନାରେ 89.94ରେ ରହିଥିଲା । ହେଲେ ଆଜି ସବୁ ରେକର୍ଡ ଭାଙ୍ଗି ସର୍ବନିମ୍ନ ହୋଇଯାଇଛି ।
ଶେଆର ବଜାରରେ ଟଙ୍କା ଦୁର୍ବଳ ହେବା ପରେ ନିଫ୍ଟୀ ଇଣ୍ଡେକ୍ସ 26 ହଜାର ତଳକୁ ଖସିଆସିଛି । ଫଳରେ ନିବେଶକମାନେ ବ୍ୟାପକ କ୍ଷତି ସହିଛନ୍ତି । ଦେଶର ବଡ଼ ବଡ଼ କମ୍ପାନୀ ଟାଟା ମୋଟର୍ସ, ଟାଇଟନ୍, ଏଚୟୁଏଲ୍, ବାଲାଜୀ ଫାଇନସେଭର୍, କୋଟାକ ବ୍ୟାଙ୍କ୍, ଅଲଟ୍ରାଟେକ୍ ସିମେଣ୍ଟ, ମାରୁତି ସୁଜୁକି, ଏଲ୍ ଆଣ୍ଡ୍ ଟି, ପାୱାର୍ ଗ୍ରୀଡ୍, ଆଇଟିସି, ଏନଟିପିସି ଏବଂ ବେଲ୍ ଭଳି କମ୍ପାନୀ ବ୍ୟାପକ କ୍ଷତି ସହିଛନ୍ତି ।
ସେହିପରି ସେନସେକ୍ସ ମଧ୍ୟ 200 ପଏଣ୍ଟ ହ୍ରାସ ପାଇଥିବାରୁ ମୁଦ୍ରାସ୍ପୀତି ଓ ବିଦେଶୀ ନିବେଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏକ୍ସପର୍ଟ । ଆମେରିକା ସରକାର ଟାରିଫ୍ ଲଗାଇବା ଏବଂ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ଡିଲକୁ ନେଇ ଚାଲିଥିବା ଅନିଶ୍ଚିତତା କାରଣରୁ ଏପରି ହୋଇଥିବା ଅନୁମାନ କରାଯାଉଛି । ପୂର୍ବ ଭଳି ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କାରବାର ହୋଇପାରୁ ନଥିବାରୁ ଡଲାର୍ ତୁଳନାରେ ଟଙ୍କା ହ୍ରାସ ପାଇ ଥାଇପାରେ ବୋଲି କୁହାଯାଉଛି ।








