ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେ ଗତ ଚାରି ଦିନ ଧରି ଅଟକି ରହିଥିବା ଧାନକିଣା ପ୍ରକ୍ରିୟା ଆଜିଠାରୁ ସ୍ୱାଭାବିକ ହେବ ବୋଲି ବହୁ ପ୍ରତୀକ୍ଷିତ ଆଶା ସୃଷ୍ଟି ହୋଇଛି। ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହିଥିଲେ ମଧ୍ୟ ମିଲର୍ସମାନେ ଚୁକ୍ତି ସ୍ୱାକ୍ଷର କରିନଥିବାରୁ ଧାନ ଉଠାଣ ବନ୍ଦ ରହିଥିଲା। ପ୍ରଶାସନର ପ୍ରତିଶ୍ରୁତି ପରେ ଆଜି ମଙ୍ଗଳବାର ଠାରୁ ମଣ୍ଡି କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଚାଷୀମାନେ ଅପେକ୍ଷା କରିଛନ୍ତି।
ଗତକାଲି ଧାନକିଣା ବନ୍ଦ ରହିବା ଏବଂ ଟୋକେନ ସମସ୍ୟା ତଥା ପି-ପାସ୍ (P-Pass) ଜେନେରେଟ୍ ନ ହେବା ଭଳି ପ୍ରମୁଖ ସମସ୍ୟାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ଜାତୀୟ ରାଜପଥ-୫୩ (NH-53) ଅବରୋଧ କରିଥିଲେ। ପ୍ରାୟ ୮ ଘଣ୍ଟା ଧରି ଧାରଣା ଦେବା ପରେ ପ୍ରଶାସନ ହସ୍ତକ୍ଷେପ କରିଥିଲା। ମଙ୍ଗଳବାର ଠାରୁ ଧାନ କିଣା ସ୍ୱାଭାବିକ ହେବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ଓହରିଥିଲେ। ପ୍ରଶାସନର ଏହି ପ୍ରତିଶ୍ରୁତି ଅନୁଯାୟୀ, ଆଜିଠାରୁ ଧାନ କିଣା ସୁରୁଖୁରୁରେ ଚାଲିବ ବୋଲି ଚାଷୀମାନେ ଆଶା କରିଛନ୍ତି।
ଅନ୍ୟପଟେ, ଗତକାଲି ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ମଣ୍ଡି ଖୋଲିଥିଲା ଏବଂ ଚାଷୀ, ଯୋଗାଣ ଓ ସମବାୟ କର୍ମଚାରୀମାନେ ପହଞ୍ଚିଥିଲେ। କିନ୍ତୁ ମିଲର୍ସମାନେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଚାଷୀ, ଯୋଗାଣ ବିଭାଗ ଏବଂ ମିଲର୍ସମାନଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରାଯାଇଥିଲା। ତେବେ, ମିଲର୍ସମାନେ ନିଜ ଦାବିରେ ଅଟଳ ରହି ବୈଠକ ମଝିରୁ ଉଠି ଚାଲିଯାଇଥିଲେ, ଯାହାକି ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଥିଲା।
ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ ସ୍ୱୟଂ ମିଲର୍ସମାନଙ୍କୁ ଡକାଇ ଆଲୋଚନା କରିଥିଲେ। ମାତ୍ର ଏହି ବୈଠକ ମଧ୍ୟ ବିଫଳ ହୋଇଥିଲା। ସମ୍ବଲପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଧ ହୋତାଙ୍କ ସୂଚନା ଅନୁଯାୟୀ, ଜିଲ୍ଲାପାଳ ମିଲର୍ସମାନଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି ଯେ, ଯଦି ଆସନ୍ତାକାଲି ସୁଦ୍ଧା ସେମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ନ ହୁଅନ୍ତି, ତେବେ ପ୍ରଶାସନ ଠାରୁ ଆଉ କୌଣସି ପ୍ରକାରର ସହଯୋଗ ଆଶା ନ ରଖିବାକୁ ପଡ଼ିବ।
ଏ ସମ୍ପର୍କରେ ରାଜ୍ୟ ମିଲର୍ସ ସଂଘର ସଭାପତି ମହେଶ ବଂଶଲ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ମିଲର୍ସଙ୍କ ସମସ୍ୟା ସମ୍ପର୍କରେ ରାଜ୍ୟ ଯୋଗାଣ ବିଭାଗକୁ ବାରମ୍ବାର ଜଣାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେ ସୂଚନା ଦେଇଥିଲେ ଯେ, ଗତ ୧୯ ତାରିଖରେ ୧୧-ଦଫା ଦାବି ନେଇ ମିଲର୍ସ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଦିଗରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ତେଣୁ, ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଚୁକ୍ତି ସ୍ୱାକ୍ଷର ନ କରିବାକୁ ସେମାନେ ବାଧ୍ୟ ହୋଇ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ଆଜିର ଧାନକିଣା ପ୍ରକ୍ରିୟା ଉପରେ ରହିଛି।








