ଯାଜପୁର: ନିଆରା ବାହାଘର । ବାଜା ନାହିଁ କି ବାଣ । ଡିଜେ ସାଉଣ୍ଡ ନାହିଁ କି ହାଇ ସାଉଣ୍ଡ ଗୀତ। ହରିନାମ, ସଙ୍କୀର୍ତ୍ତନ ରେ ବାହାଘର। ଆଗରେ ଚାଲିଛନ୍ତି ସଙ୍କୀର୍ତ୍ତନ ଦଳ ସହ ବରଯାତ୍ରୀ ତା ପଛେ ପଛେ ଚାଲିଛି ବର ଗାଡ଼ି। ଅତ୍ୟନ୍ତ ନିରାଡମ୍ବର ରେ ଯାଉଥିବା ବାହାଘର ଶୋଭାଯାତ୍ରା ଦେଖି ଅଟକି ଯାଉଥିଲେ ଗାଡ଼ି ବାଲାଠୁ ବାଟୋଇ। ବରଯାତ୍ରୀ ସହ କନ୍ୟା ଘରକୁ ଯିବାବେଳେ ହରିନାମରେ ପ୍ରକମ୍ପିତ ହେଉଥିଲା ପରିବେଶ। ଏମିତି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ଯାଜପୁର ସଦର ବ୍ଲକରେ। ଯାଜପୁର ଲାଖବିନ୍ଧା ପଡିଆ ନିକଟସ୍ଥ ଇସ୍କନ୍ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା ବାହାଘର।
ବରଯାତ୍ରୀଙ୍କ ଧରୁଥିଲେ ଖୋଳ, କରତାଳ ଓ ମୁର୍ଦଙ୍ଗ, ଝାଞ୍ଜ, କୁବୁଜି। ସମସ୍ତେ ଗାଇଥିଲେ ହରିନାମ । ବୈଷ୍ଣବ ରୀତିନୀତି, ଭକ୍ତିମୟ ପରିବେଶରେ ବରକୁ ସ୍ଵାଗତ କରାଯାଇଥିଲା । ବିଂଝାରପୁର ବ୍ଲକ ନୂଆଗାଁର ଗଣେଶ ଦାସଙ୍କ ପୁଅ ରାକେଶ ଯାଜପୁର ସଦର ବ୍ଲକର ମାୟାଧର ଦେହୁରୀଙ୍କ ଝିଅ ସୀମା ଦେହୁରୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଝିଅ ଘର ଆର୍ଥିକ ସମସ୍ୟା କାରଣରୁ ବର ଓ କନ୍ୟାପକ୍ଷ ନିରାଡମ୍ବର ରେ ବାହାଘର ପାଇଁ ରାଜି ହୋଇଥିଲେ। ଏହା ପରେ ହୋଇଥିଲା ନିରାଡମ୍ବର ଆୟୋଜନ। ରୀତିନୀତି ଅନୁସାରେ ବର ଆସିଥିଲା। ରୋଷଣୀ ଥିଲା ନିରାଡମ୍ବର। ହରିବୋଲ ହୁଳହୁଳିର ମଙ୍ଗଳ ଧ୍ବନିରେ କମ୍ପି ଉଠିଥିଲା ସାରା ପରିବେଶ । ଆତ୍ମୀୟ ଓ ଭକ୍ତିମୟ ପରିବେଶ ସମ୍ପର୍କୀୟଙ୍କ ପାଇଁ ଏକ ନିଆରା ଅନୁଭୂତି ଦେଇଛି ।
ବୈଷ୍ଣବ ରୀତି ଅନୁଯାୟୀ ତୁଳସୀ ପରିକ୍ରମା, ଜୟମାଳା, ମନ୍ତ୍ରୋଚ୍ଚାରଣ ଏବଂ ପବିତ୍ର ପ୍ରଣୟ ସଙ୍କଳ୍ପ ସହିତ ବିବାହ ସମ୍ପୂର୍ଣ୍ଣ ହେଲା। ଏବେ ବିବାହକୁ ନେଇ କେତେ କଣ ଆୟୋଜନ କରାଯାଇ ନିଜର ଆତ୍ମବଡିମା ଦେଖାଯାଉଛି । କିନ୍ତୁ ଏଭଳି ଏକ ବିବାହ ଯେ ଭକ୍ତି, ସମ୍ମାନ ଓ ସରଳତା ବୋଲି ପ୍ରମାଣ କରିଛନ୍ତି ଉଭୟ ପରିବାର । ବିବାହ ନାଁରେ ହେଉଥିବା ଶବ୍ଦ ପ୍ରଦ୍ୟୁଷଣ, ବାୟୁ ପ୍ରଦ୍ୟୁଷଣ ବନ୍ଦ ପାଇଁ ଦାବୀ ହେଉଥିବା ବେଳେ ଏଭଳି ନିଆରା ବିବାହ ଏକ ଉଦାହରଣ ସାଜିବା ସହ ସାଧାରଣରେ ଚର୍ଚ୍ଚା ହେଉଛି । ବାହାଘର ରୋଷଣୀ, ଭୋଜିରେ ଯିଏ ସାମିଲ ହୋଇଛନ୍ତି ସିଏ କହୁଛନ୍ତି ହରିନାମେ କି ରସ ଅଛି।







