ରାଜ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତ: ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ, ୩ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ‘ୟେଲୋ ଓ୍ୱାର୍ନିଂ’

ରାଜ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତ: ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ, ୩ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ 'ୟେଲୋ ଓ୍ୱାର୍ନିଂ'

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି ସକାଳ ସମୟରେ ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡି ଯାତାୟାତରେ ବାଧା ସୃଷ୍ଟି କରୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ଶନିବାର ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା।

କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ରାଜ୍ୟର ସର୍ୱନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନ୍ୟ ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ସେମିଳିଗୁଡା ୫.୧ ଡିଗ୍ରୀ, ଫୁଲବାଣୀ ୫.୮ ଡିଗ୍ରୀ, ଦାରିଙ୍ଗବାଡି ୬ ଡିଗ୍ରୀ, ଚିପିଲିମା ୭.୬ ଡିଗ୍ରୀ ଏବଂ ନବରଙ୍ଗପୁର, ଭବାନୀପାଟଣା ଓ ଅନୁଗୋଳରେ ତାପମାତ୍ରା ୯ ଡିଗ୍ରୀ ରହିଥିଲା।

ତାପମାତ୍ରା ହ୍ରାସ ପାଇବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ରାଉରକେଲାରେ ଘନ କୁହୁଡି ଅନୁଭୂତ ହୋଇଥିବା ବେଳେ ଝାରସୁଗୁଡା, ଫୁଲବାଣୀ, ଭବାନୀପାଟଣା ଓ ବାରିପଦାରେ ମଧ୍ୟ କୁହୁଡି ଦେଖାଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୬ରୁ ୭ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଆସନ୍ତା ୨ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡା ଓ କନ୍ଧମାଳ ଜିଲାରେ ଘନ କୁହୁଡି ଦେଖାଦେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ଏହି ସମୟରେ ଦୃଶ୍ୟମାନ କ୍ଷମତା (Visibility) ମାତ୍ର ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିବ ବୋଲି ସୂଚନା ଦିଆଯାଇଛି। ତେଣୁ ଗାଡ଼ି ଚାଳକମାନଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories