ତାଳଚେର,(ବିଜୟ କୁମାର ଦେବତା): ସରକାର ଜନସାଧାରଣଙ୍କ ସମସ୍ତ ସୁବିଧା କରିବା ନିମନ୍ତେ ପ୍ରଚାର ପ୍ରସାର ମାଧ୍ୟମରେ ସର୍ବସ୍ୱ କରିଥିଲେ ମଧ୍ୟ ଆଜି ପନିପରିବାର ଦର ଏତେଶୟ ବୃଦ୍ଧି ପାଇଛି ଯେ, ଯଦି କୌଣସି ଯୋଗୀ କିମ୍ବା ଭିକ୍ଷୁକ ଭିକ୍ଷାଗ୍ରହଣ କରିବାକୁ ଆସୁଛନ୍ତି, ସେମାନଙ୍କୁ ପନିପରିବା ଟିଏ ଦାନ କରି ହେଉନି କିମ୍ବା କୌଣସି ଶୁଦ୍ଧକ୍ରିୟା କାର୍ଯ୍ୟ ସମୟରେ ଛଂଚାରେ ପୁରୋଧାଙ୍କୁ ପନିପରିବାଟିଏ ଦେବାପାଇଁ ଲୋକଙ୍କ ପକ୍ଷେ ସମ୍ଭବ ହେଉନି । ଆଜିର ଦିନରେ ପନିପରିବାର ଦରଦାମ ଏତେ ଆକାଶ ଛୁଆଁ ହୋଇଛି ଯେ, ହଜାରଟଙ୍କା ହାଟକୁ ଧରି ଗଲେ ମଧ୍ୟ ପରିବା ବ୍ୟାଗଟି ପୂର୍ଣ୍ଣ ହେଉନାହିଁ । ବର୍ତମାନ ଆଳୁ ୩୦ରୁ ୩୫ଟଙ୍କା ରହୁଥିବା ବେଳେ ପିଆଜ ୪୫ରୁ ୫୦, ବାଇଗଣ ୭୦, ଟମାଟୋ ୭୦, ଭେଣ୍ଡି ୮୦, କଂଚା କଦଳୀ ୭୦, ଶାଗବିଡ଼ା ୧୦, ଧୂଡ଼ଙ୍ଗ ୮୦, କଖାରୁ କେଜି ପ୍ରତି ୪୦, ଦେଶୀ କାଙ୍କଡ଼ ୨୦୦ ହୋଇଥିବା ବେଳେ ବିଦେଶୀ କାଙ୍କଡ଼ ୮୦, କଂଚା ଲଙ୍କା ୧୫୦, ସାରୁ ୩୦ରୁ ୪୦, ଖୁମ୍ବଆଳୁ ୬୦, ବିନ୍ ୬୦, କାକୁଡ଼ି ୮୦, କଲରା ୭୦ଟଙ୍କା ହୋଇଥିବା ବେଳେ ସେହିଭଳି ଫଳମୂଳ ଦାମ ନକହିବା ଭଲ! ସେହିଭଳି ଉଷୁନା ଚାଉଳ କେଜି ୩୦, ଅରୁଆ ଚାଉଳ ୩୦, ସୋରିଷ ତେଲ, ରିଫାଇନ୍ ତେଲ, ସୁଜି, ମୁଗଡ଼ାଲି, ବୁଟଡ଼ାଲି, ବୁଟ, ମଟର, ଚିନି, ହରଡ଼ଡ଼ାଲି, ଅଟା, ବେସନ, ଶୁଖିଲା ଲଙ୍କା, ଲୁଣ ଇତ୍ୟାଦିର ଦର ଆହେତୁକ ବୃଦ୍ଧି ପାଇଥିବା ବେଳେ ବଜାର ଆମିଷ ଦର ମଧ୍ୟ କିଛି କମ ନୁହେଁ ।
ଛେଳି ମାଂସ କେଜି ୭ଶହ, ବ୍ରଏଲର୍ କୁକୁଡ଼ା ୨୫୦, ମାଛ ୨ଶହ, ଚିଙ୍ଗୁଡ଼ି ୬ଶହ, ଅଣ୍ଡା ଗୋଟି ୭ଟଙ୍କା ଏବଂ ଖିର ଲିଟର୍ ପ୍ରତି ୬୫ରୁ ୭୦ ଟଙ୍କା ରହିଛି ବୋଲି ବଜାର ଦରରୁ ଜଣାପଡ଼ିଛି । ତେବେ ଲୋକେ ଖାଇବେ କ’ଣ ଚଳିବେ କେମିତି! ବଡ଼ବଡ଼ିଆ ତରି ଯାଉଥିବା ବେଳେ ଦିନମଜୁରୀଆ ଯେନତେଣ ଉପାୟରେ ଚଳିଯାଉଛନ୍ତି । ମାତ୍ର ମଧ୍ୟବିତ ପରିବାରର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏବେ ଓଡ଼ିଶାରେ ଡ଼ବଲଇଞ୍ଜିନ ସରକାର ଚାଲୁଥିବା ବେଳେ ଗାଡ଼ି ଧିମେଇ ଯାଉଛି ଓ କେନ୍ଦ୍ର ସରକାରଙ୍କ ସେହି ଆଚ୍ଛାଦିନ ନାରା ଆଉ ଶୁଭୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।







