ସରିଲା ଶିଶିର ସରସ–୨୦୨୬: ଗ୍ରାମୀଣ ଉଦ୍ୟମ ଓ ସ୍ୱଦେଶୀ ଶକ୍ତିର ସଫଳତାର ନୂତନ ମାଇଲଖୁଣ୍ଟ

ସରିଲା ଶିଶିର ସରସ–୨୦୨୬: ଗ୍ରାମୀଣ ଉଦ୍ୟମ ଓ ସ୍ୱଦେଶୀ ଶକ୍ତିର ସଫଳତାର ନୂତନ ମାଇଲଖୁଣ୍ଟ

୧୧ ଦିନିଆ ସରସ ମେଳା ଉଦଯାପିତ; ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ:

ଭୁବନେଶ୍ୱର: ଓରମାସ ଓ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ଶିଶିର ସରସ-୨୦୨୬’ ମଙ୍ଗଳବାର ସଫଳତାର ସହ ଉଦଯାପିତ ହୋଇଛି। ପ୍ରଥମେ ଜାନୁଆରୀ ୧୮ରେ ଶେଷ ହେବାକୁ ଥିବା ଏହି ମେଳାକୁ, ପରିଦର୍ଶକଙ୍କ ବିପୁଳ ଆଗ୍ରହ ଦେଖି ଆହୁରି ଦୁଇ ଦିନ ପାଇଁ ବଢ଼ାଯାଇଥିଲା। ମେଳାରେ ୩୪୦ଟି ଷ୍ଟଲ୍‌ ମାଧ୍ୟମରେ ଓଡ଼ିଶା ସହ ଦେଶର ୨୦ଟି ରାଜ୍ୟର କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀମାନେ ଅଂଶ ଗ୍ରହଣ କରିଥିଲେ।

ସରିଲା ଶିଶିର ସରସ–୨୦୨୬: ଗ୍ରାମୀଣ ଉଦ୍ୟମ ଓ ସ୍ୱଦେଶୀ ଶକ୍ତିର ସଫଳତାର ନୂତନ ମାଇଲଖୁଣ୍ଟ

୧୧ ଦିନ ଧରି ଚାଲିଥିବା ଏହି ମେଗା ମେଳାରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଥି ମଧ୍ୟରୁ ମକର ସଂକ୍ରାନ୍ତି ଅବସରରେ ଆୟୋଜିତ ଗୁଡ଼ି ଉତ୍ସବ ଆଧୁନିକ ପିଢ଼ିଙ୍କୁ ପାରମ୍ପରା ଓ ସଂସ୍କୃତି ସହିତ ଯୋଡ଼ିଥିଲା। ସାଂସ୍କୃତିକ ମଞ୍ଚରେ ବଲିଉଡ୍ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ସଙ୍ଗୀତମୟ ପ୍ରସ୍ତୁତି ସହ ଓଲିଉଡ଼ ତାରକା ପ୍ରକୃତି ମିଶ୍ରଙ୍କ ରାମ୍ପୱାକ୍ ଦର୍ଶକଙ୍କ ମନ ମୋହିଥିଲା।

ସରିଲା ଶିଶିର ସରସ–୨୦୨୬: ଗ୍ରାମୀଣ ଉଦ୍ୟମ ଓ ସ୍ୱଦେଶୀ ଶକ୍ତିର ସଫଳତାର ନୂତନ ମାଇଲଖୁଣ୍ଟ

ମେଳା ପରିସରରେ ସ୍ଥାପିତ ୩୫ଟି ଫୁଡ୍‌ ଷ୍ଟଲ୍‌ ସହ ଲାଇଭ୍‌ କିଚେନ୍‌ ପରିଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା, ଯେଉଁଠାରେ ଓଡ଼ିଶା ସହ ଦେଶର ବିଭିନ୍ନ ରାଜ୍ୟର ପାରମ୍ପରିକ ଖାଦ୍ୟର ସ୍ୱାଦ ଉପଭୋଗ କରିବା ସୁଯୋଗ ମିଳିଥିଲା।

ମେଳା ଅବସରରେ ଗ୍ରାମୀଣ ଉଦ୍ୟମୀ ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ସଶକ୍ତିକରଣ ଲକ୍ଷ୍ୟରେ ବିଭିନ୍ନ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ ହୋଇଥିଲା। ଏପିକଲ୍, ଭୁବନେଶ୍ୱର ପକ୍ଷରୁ ରାଜ୍ୟ ସରକାରୀ ଯୋଜନା ଓ ଉଦ୍ୟମ ପ୍ରୋତ୍ସାହନ ଉପରେ କର୍ମଶାଳା ଆୟୋଜିତ ହୋଇଥିବା ବେଳେ, ଆଇଆଇପି, ମୁମ୍ବାଇ ପକ୍ଷରୁ ପ୍ୟାକେଜିଂ, ବ୍ରାଣ୍ଡିଂ ଓ ଉତ୍ପାଦର ବଜାର ସଫଳତା ସମ୍ପର୍କିତ ପ୍ରାୟୋଗିକ ଜ୍ଞାନ ପ୍ରଦାନ କରାଯାଇଥିଲା। ସେହିପରି, ଓରମାସ ଓ ସିପିସିଆରଆଇ ମଧ୍ୟରେ ସାକ୍ଷରିତ ବୁଝାମଣାପତ୍ର ମାଧ୍ୟମରେ ନଡ଼ିଆ ଆଧାରିତ ମୂଲ୍ୟବର୍ଦ୍ଧିତ ଉତ୍ପାଦର ବାଣିଜ୍ୟିକ ଉତ୍ପାଦନ ପାଇଁ ପ୍ରଯୁକ୍ତି ହସ୍ତାନ୍ତରର ପଥ ପ୍ରଶସ୍ତ ହୋଇଛି, ଯାହା ଗ୍ରାମୀଣ ଜୀବିକା ବିକାଶକୁ ନୂଆ ଗତି ଦେବ।

ଏହି ମେଗା ମେଳା ଅବଧିରେ ହୋଇଥିବା ବିପୁଳ ବିକ୍ରୟ ସହ ଅନେକ ଷ୍ଟଲ୍‌ର ଉତ୍ପାଦ ‘ଆଉଟ୍ ଅଫ୍ ଷ୍ଟକ୍’ ହୋଇଯିବା, ପରିଦର୍ଶକଙ୍କ ଭାରି ସ୍ୱୀକୃତିକୁ ସ୍ପଷ୍ଟ କରିଛି। ୧୧ ଦିନ ଧରି ଚାଲିଥିବା ଏହି ମେଳାରେ ସର୍ବମୋଟ ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହେବା ସହ, ଏହା ପୂର୍ବବର୍ଷଗୁଡ଼ିକର ସମସ୍ତ ରେକର୍ଡ ଭଙ୍ଗ କରିଛି। ଷ୍ଟଲ୍‌ମାଲିକମାନେ ଏହି ସଫଳ ଆୟୋଜନ ପାଇଁ ଓରମାସ ଓ ସୁଭଦ୍ରା ଶକ୍ତି ପ୍ରତି କୃତଜ୍ଞତା ଜଣାଇଥିବା ବେଳେ, ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମେଳାର ସୁଚାରୁ ଆୟୋଜନ, ବିପୁଳ ଅଂଶଗ୍ରହଣ ଓ ବ୍ୟବସାୟିକ ସଫଳତା ପାଇଁ ସମ୍ପୂର୍ଣ୍ଣ ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ। ‘ଶିଶିର ସରସ–୨୦୨୬’ର ଆର୍ଥିକ ସଫଳତା ଆତ୍ମନିର୍ଭର ଓଡ଼ିଶା ଗଢ଼ିବା ଦିଗରେ ଏକ ଦୃଢ଼ ଭିତ୍ତି ସୃଷ୍ଟି କରିଛି, ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories